ଫୁଲବାଣୀ (ଏଟିଆର ବ୍ୟୁରୋ); ମାନବିକତା ଦେଖାଇଲେ କନ୍ଧମାଳ ଲୋକସଭା ଆସନ ବିଏସପି ପ୍ରାର୍ଥୀ ହୋଇଥିବା ଅମୀର ନାୟକ । ଦ୍ୱିତୀୟ ପର୍ଯ୍ୟାୟରେ କନ୍ଧମାଳରେ ନିର୍ବାଚନ ହେବାକୁୁଥିବା ବେଳେ ଜୋରସୋରରେ ପ୍ରଚାର ଚଳାଇଛନ୍ତି ବିରୋଧୀ ଦଳ ପ୍ରାର୍ଥୀ । ତେବେ ଅମୀର ପ୍ରଚାର ଛାଡି ପ୍ରସୂତି ମହିଳାଙ୍କୁ ନେଇ ଠିକ ସମୟରେ ମେଡିକାଲରେ ପହଁଞ୍ଚାଇଥିଲେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏବେ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣା ପଡିଛି ।
ମିଳିଥିବା ସୂଚନା ମୁତାବକ ବାଲିଗୁଡା ବଡଗାଁର ଦୀପକ ଦିଗଲଙ୍କ ସ୍ତ୍ରୀ ରେଣୁକା ଦିଗଲଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ସ୍ଥାନୀୟ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ନଥିବା କାରଣରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ନର୍ସ କହିଥିଲେ । ପ୍ରସୂତିଙ୍କ ପରିବାର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଦ୍ଧା ଆସିବା ପାଇଁ ବିଳମ୍ବ ହୋଇଥିଲା । ଏଣୁ ଚିନ୍ତାରେ ରହିଥିଲେ ପରିବାର । ଠିକ ସେହି ସମୟରେ ମେଡିକାଲ ବାଟ ଦେଇ ପ୍ରଚାରରେ ଯାଉଥିବା ଅମୀର ପ୍ରସୂତିଙ୍କ ଅସୁବିଧା କଥା ଜାଣିଥିଲେ । ଏହାପରେ ସେ ନିଜ ଗାଡିରେ ପ୍ରସୂତିଙ୍କୁ ନେଇ ଫୁଲବାଣୀ ମେଡିକାଲକୁ ନେଇ ଯାଇଥିଲେ । ଅମୀରଙ୍କ ଏହି ମହାନ କାମ ପାଇଁ ସମସ୍ତେ ପ୍ରଂଶସା କରିଛନ୍ତି । ଅପରପକ୍ଷରେ କନ୍ଧମାଳରେ ପ୍ରାର୍ଥୀ ହୋଇଥିବା ଅନ୍ୟ ନେତାମାନେ ପୂର୍ବରୁ କେବେ ଲୋକଙ୍କ ପାଖରେ ଠିଆ ହୋଇନଥିବା ଚର୍ଚ୍ଚା ହେଉଛି । କାରଣ ଯେଉଁମାନେ ଟିକେଟ ଲବିରେ ଥିଲେ ସେମାନେ ନପାଇ ଅଲଗା ଲୋକଙ୍କ ଉପରେ ଭରଷା କରି ଦଳ ସବୁୂ ଟିକେଟ ଦେଇଛନ୍ତି ।