ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଗୋଟିଏ ପଟେ ଦିଲ୍ଲୀରେ ଏଆଇସିସି ବୈଠକ ବସିଛି । ଆଉ ଏପଟେ ରାଜ୍ୟ କଂଗ୍ରେସରେ ଉଠିଛି ବିଦ୍ରୋହର ସ୍ୱର । ଏହି ବିଦ୍ରୋହର ସ୍ୱର ଆଉ କେହି ନୁହେଁ ବରଂ ଉଠାଇଛନ୍ତି ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ । ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଇତିଶ ସିଧା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନରେ ତାଙ୍କ ଭୁମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଇତିଶ । ଭାବପ୍ରୀତି ଯୋଗୁ କଂଗ୍ରେସର ଏଭଳି ଅବସ୍ଥା ଭୋଗିଲା ବୋଲି ପରୋକ୍ଷରେ କହିଛନ୍ତି ଇତିଶ । ସିଧା କହିବାକୁ ଗଲେ ନିରଞ୍ଜନ ନିଜ ବ୍ୟବସାୟ ବଢ଼ାଇବା ଓ ପୁଅର ଭବିଷ୍ୟତକୁ ସଜାଡିବା ଲାଗି ନିରଞ୍ଜନ ପୂରା ଚକ୍ରାନ୍ତ କରିଥିଲେ ବୋଲି ଇତିଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଖୁବ୍ଶୀଘ୍ର ନିରଞ୍ଜନଙ୍କ ଏଭଳି କାରସାଦି ସମ୍ପର୍କରେ ସୋନିଆ ଗାନ୍ଧିଙ୍କୁ ଜଣାଯିବ ।
ଇତିଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଅମର ପ୍ରଧାନଙ୍କ ‘ଖଳନାୟକ’ ମନ୍ତବ୍ୟରେ ତାଳ ଦେଇଛନ୍ତି ଇତିଶ । ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଭାଇ ସୌମ୍ୟରଞ୍ଜନ ମିଶି କଂଗ୍ରେସ ଦଳକୁ ହରାଇଛନ୍ତି । ଭାଇ ମଧ୍ୟସ୍ଥି କରାଇ ଦଳକୁ ବିକ୍ରି କରିଦେଇଛନ୍ତି । ସେହିପରି ନିରଞ୍ଜନ କେବଳ ନିଜର ବ୍ୟବସାୟକୁ ବଢ଼ାଇବା ପାଇଁ ଏବଂ ପୁଅକୁ ମଣିଷ କରିବାକୁ ସେ ଚକ୍ରାନ୍ତ କରିଥିଲେ । ଯାହାକୁ କଦାପି ସହ୍ୟ କରାଯିବ ନାହିଁ। ନିରଞ୍ଜନଙ୍କ ଏ ଚକ୍ରାନ୍ତ ବିଷୟରେ ଏଆଇସିସି ନିକଟରେ ଫେରାଦ ଦିଆଯିବ । ତାଙ୍କ ସଭାପତି ପଦରୁ ହଟାଇବାକୁ ଜୋର ଦାର ଦାବି କରାଯିବ ବୋଲି ଇତିଶ କହିଛନ୍ତି । ସେହିପରି ସେ ଏବେ ଓଡ଼ିଶାରେ ନାହାଁନ୍ତି । ବାହାରୁ ଫେରିଲା ପରେ ତାଙ୍କୁ ଓଡ଼ିଶା ଭିତରେ ପୁରାଇ ଦିଆଯିବ ନାହିଁ । ତାଙ୍କ ବିରୋଧରେ ଆନ୍ଦୋଳନ କରାଯିବ ଏବଂ ତାଙ୍କୁ କୌଣସି କାମ କରାଇ ଦିଆଯିବ ନାହିଁ ବୋଲି ଇତିଶ ଚେତାବନୀ ଦେଇଛନ୍ତି । ସେପଟେ ରାଜ୍ୟ ବାହାରେ ଥିବା ନିରଞ୍ଜନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଏଆଇସିସି ବୈଠକରେ ସାମିଲ ହୋଇ ନାହାଁନ୍ତି ।