ଜଗତସିଂହପୁର( ଏଟିଆର ବ୍ୟୁର) : ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅମରେନ୍ଦ୍ର ଦାସଙ୍କ ବିଜେଡି ଟିକେଟ ପାଇବା ଆଶା ଦିନକୁଦିନ ଆଶଙ୍କା ଭିତରକୁ ଚାଲିଯାଉଛି । ବିଜେଡି ପକ୍ଷରୁ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ମିଳିବା ପରେ ଜଗତସିଂହପୁର ବିଜେଡିରେ ଅସନ୍ତୋଷ ତେଜିବାରେ ଲାଗିଛି । ଦୀର୍ଘଦିନ ହେଲା ବିଜେଡି ପାଇଁ କାମ କରୁଥିବା ଅମରେନ୍ଦ୍ର ଦାସଙ୍କ ଟିକେଟ କଟିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜଗତସିଂହପୁରର ବିଜେଡି ଯୁବକର୍ମୀ ମାନେ । ଏଥିପାଇଁ ଶତାଧିକ କର୍ମୀ ବିଶାଳ ରାଲି ସହିତ ନବୀନ ନିବାସ ଆଗରେ ବିକ୍ଷୋବ କରିଥିଲେ । ଯାହା ଫଳରେ ଦଳ ପକ୍ଷରୁ ଏହାର ପୁନଃ ବିଚାର କରିବା ପାଇଁ ପ୍ରତିଶୃତି ଦିଆଯାଇଥିଲା । ଦିଆଯାଇଥିବା ନିର୍ଦ୍ଧାରିତ ସମୟ ଅତିବାହିତ କରି ସାରିଥିଲେ ସୁଦ୍ଧା କୌଣସି ପରିବର୍ତ୍ତନର ସୂଚନା ମିଳିଲା ନାହିଁ । ଯାହା ଫଳରେ ଅସନ୍ତୁଷ୍ଟ କର୍ମୀ ମାନଙ୍କର ଅନ୍ତୋଷ ଉଗ୍ରରୂପ ନେଲାଣି । ଯେଉଁଥିପାଇଁ ନିଜର ଶକ୍ତି ଦେଖାଇବା ପାଇଁ ଅମରେନ୍ଦ୍ରଙ୍କ ଗୋଷ୍ଠୀ ପକ୍ଷରୁ ବାଇକ ଶୋଭାଯାତ୍ରା ନାଉଁଗାଁ ଓ ଜଗତସିଂହପୁର ପୌରପରିଷଦ ଅଞ୍ଚଳରେ ମଧ୍ୟ କରାଯାଇଛି ।
କେଉଁ ଆଧାରରେ ଜିଲ୍ଲା ଯୁବ ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କୁ କାଟି ବାଲିକୁଦା ଏରସମା ନିର୍ବାଚନୀ ମଣ୍ଡଳୀ ବିଧାୟକଙ୍କୁ ଆଣି ଏଠାରେ ପ୍ରାର୍ଥୀ କରାଯାଇଛି ତାହା ପ୍ରଶ୍ନ କରିଛିନ୍ତି ଅମରେନ୍ଦ୍ରଙ୍କ ଗୋଷ୍ଠୀ । ଆହୁରୀ ମଧ୍ୟ ଅମରେନ୍ଦ୍ର ନିଜ ପ୍ରତିକ୍ରିୟାରେ କର୍ମୀ ଓ ମା ଭଉଣୀ ମାନେ ଯାହା ନିଷ୍ପତି ନେବେ ତାହା ସେ ମାନିବେ ବୋଲି କହିଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ ଅମରେନ୍ଦ୍ର ସ୍ୱାଧୀନ ଭାବେ ନିର୍ବାଚନ ଲଢନ୍ତୁ ବୋଲି ଚର୍ଚ୍ଚା ଚାଲିଛି । ଏ ବାବଦରେ ଅମରେନ୍ଦ୍ର ମୁହଁ ଖୋଲି ନଥିଲେ ସୁଦ୍ଧା କର୍ମୀଙ୍କ ଉପରେ ନିଷ୍ପତି ଛାଡି ସାମାନ୍ୟ ଇଂଙ୍ଗିତ କରି ସାରିଲେଣି । ନାମାଙ୍କନ ମାତ୍ର ଆଉ ଅଳ୍ପଦିନ ବାକିଥିବା ବେଳେ ଦଳର ମୁଖ୍ୟ ଯଦି ଏ ବାବଦରେ କିଛି ନିଷ୍ପତି ନନେବେ ଅମରେନ୍ଦ୍ରଙ୍କୁ ସ୍ୱାଧୀନ ଭାବେ ଠିଆ କରିବାକୁ ଅମରେନ୍ଦ୍ରଙ୍କ ଗୋଷ୍ଠୀ ବିଚାର କରୁଥିବା ସୁତ୍ରରୁ ଜଣା ପଡିଛି । ସୂଚନାଯୋଗ୍ୟ ପ୍ରଶାନ୍ତ ଦୁଇଥର ବାଲିକୁଦା ଏରସମାରୁ ବିଧାୟକ ହୋଇଥିବା ବେଳେ ଅମରେନ୍ଦ୍ର ବର୍ତ୍ତମାନ ଜଗତସିଂହପୁର ଯୁବ ବିଜେଡିର ସଭାପତି ଅଛନ୍ତି ।