ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କେତେବେଳେ କଣ ଘଟୁଛି ଜାଣିବା କାଠିକର ପାଠ ହୋଇପଡୁଛି । ଆଶା କରୁନଥିବା ନେତାଙ୍କୁ ମିଳୁଛି ଦଳୀୟ ଟିକେଟ । ବର୍ଷ ବର୍ଷ ଧରି ଦଳ ପାଇଁ କାମ କରି ଆସୁଥିବା ନେତାଙ୍କୁ ଟିକେଟ ନଦେଇ ସଙ୍ଗେ ସଙ୍ଗେ ଦଳରେ ମିଶୁଥିବା ନେତାଙ୍କୁ ଦଳ ଭରଷା କରି ଟିକେଟ ଦେଉଛି । ଯାହାକୁ ନେଇ ସବୁଠି ଦେଖା ଦେଉଛି ଅସନ୍ତୋଷ । ତେବେ କନ୍ଧମାଳ ଲୋକସଭା ଆସନରେ ଆଶା କରାଯାଇନଥିବା ନେତାଙ୍କୁ ମିଳିଛି ଦଳୀୟ ଟିକେଟ ।
ବିଜେଡି ଟିକେଟ ରେସରେ ରହିଥିଲେ ବହୁ ତୁଙ୍ଗ ନେତା । କିନ୍ତୁ ଦିନେ ମଧ୍ୟ ଚର୍ଚ୍ଚା ହୋଇନଥିବା ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ମିଳିଛି । ଅପରପକ୍ଷରେ ବିଜେପିରେ ମଧ୍ୟ ବହୁ ଆଶାୟୀ ପ୍ରାର୍ଥୀ ରାତି ଅନିଦ୍ରା ହୋଇ ସଂଗଠନ କରୁଥିବା ବେଳେ ମୁଗୁରା ପଛପଟ ମେଲା କରି ଖାରବେଳ ସ୍ୱାଇଁଙ୍କୁ ଦଳ ଭରଷା କରି ଟିକେଟ ଦେଇଛି । ଯାହାକୁ ନେଇ ଦଳରେ ମଧ୍ୟ ବହୁ ନେତା ଅସନ୍ତୋଷ ଜାହିର କରିଥିବା ଦେଖିବାକୁ ମିଳିଛି । କାରଣ ଏଠାରେ ବିଜେପି ପକ୍ଷରୁ ସୁକାନ୍ତ ପାଣିଗ୍ରାହି ବାରମ୍ବାର ନିର୍ବାଚନ ହାରି ଆସୁଥିଲେ ସୁଦ୍ଧା ସଂଗଠନ ଦୃଢ଼ କରିଥିବା ବେଳେ ତାଙ୍କୁ ଟିକେଟ ଦେଇନି ଦଳ ।
ଜଣେ ଭଦ୍ର ଏବଂ ନମ୍ର ନେତାଭାବେ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନେତା ହେଉଛନ୍ତି ଖାରବେଳ ସ୍ୱାଇଁ । ଦଳୀୟ ଟିକେଟ ପାଇବା ପରେ ଜନତା ତାଙ୍କୁ ଭରଷା କରି ଭୋଟ ଦେବେ ବୋଲି ବିଜେପି ଆଶା ରଖିଛି । ବାଲେଶ୍ୱର ଲୋକସଭା ଆସନରେ ତିନିଥର ସାଂସଦ ହୋଇଥିଲେ ଖାରବେଳ । ଅପରପକ୍ଷରେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଛି ବିଜେଡି । ସେ ନିବଟରେ ବିଜେଡି ଯୋଗ ଦେବା ପରେ ରାଜ୍ୟସଭା ସାଂସଦ କରି ଦଳ ରାଜ୍ୟସଭାକୁ ପଠାଇଥିଲା । ଦୁଇ ନେତାଙ୍କୁ ସଂସଦୀୟ କ୍ଷେତ୍ରରେ ଲୋକ ଚିହ୍ନିନଥିବା ଶୁଣିବାକୁ ମିଳିଛି । ତେବେ ଜନତା କାହାକୁ ଭୋଟ ଦେବେ ତା ଉପରେ ସମସ୍ତଙ୍କ ନଜର ।