ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବା ପାଇଁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି । ତେବେ କେନ୍ଦ୍ରାପଡାରେ ଦୀର୍ଘବର୍ଷ ସାଂସଦ ହୋଇଥିବା ବୈଜୟନ୍ତଙ୍କ ଆଗରେ ପ୍ରଥମ ଥର ଲାଗି ନିର୍ବାଚନ ମଇଦାନରେ ପାଦ ଦେଉଥିବା ଅନୁଭବଙ୍କ ସତ୍ତା ରହିବ ତ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି ସମସ୍ତଙ୍କ ମନରେ । ଅନୁଭବ ଯଦିଓ ବିଜେଡି ପକ୍ଷରୁ ରାଜ୍ୟସଭାକୁ ମନୋନିତ ହୋଇଛନ୍ତି ଏହାପୂର୍ବରୁ ସେ କେବେ ନିର୍ବାଚନ ଲଢ଼ି ନାହାଁନ୍ତି । ଏଣୁ ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ିବା ତାଙ୍କ ପାଇଁ କେତେ ଉପକୂଳ ହେବ ତାକୁ ନେଇ ସବୁଠି ଆରମ୍ଭ ହୋଇଛି କଳ୍ପନା ଜଳ୍ପନା ।
ବୈଜୟନ୍ତ ପଣ୍ଡା ବିଜେଡିରେ ରହି ଦଳ ବିରୋଧୀ ମନ୍ତବ୍ୟ ଦେବା କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏହାପରେ ସେ ବିଜେପରେ ଯୋଗ ଦେବା ସହିତ ଦଳର ଦୁଇଟି ବଡ ପୋଜିସନ ଅକ୍ତିଆର କରିଛନ୍ତି । ସଂସଦୀୟ କ୍ଷେତ୍ରରେ ମଧ୍ୟ ଭଲ ଲୋକପ୍ରିୟତା ରହିଛି । ଏଣୁ ବୈଜୟନ୍ତଙ୍କ ପଲ୍ଲା ଏକପ୍ରକାର ଭାରି ରହିପାରେ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ସିନେମା ଜଗତରେ ନାଁ କମେଇ ଦର୍ଶକଙ୍କ ମନରେ ଜାଗା ନେଇଥିବା ଅନୁଭବ ପ୍ରଥମ ଥର ପାଇଁ ଜଣେ ହେବିୱେଟ ନେତାଙ୍କୁ ପରାସ୍ତ କରି ନୂଆ ରେକର୍ଡ ଳକ୍ଷ୍ୟରେ ରହିବେ । କେବଳ ଜଣେ ଅଭିନେତା ନୁହେଁ ରାଜନେତା ଭାବେ ମଧ୍ୟ ବେଶ ନାଁ ରହିଛି ଅନୁଭବଙ୍କର । ତେବେ ଦୁଇଜଣ ବଡ ନେତାଙ୍କ ମଧ୍ୟରେ କଡାଟକ୍କର ହେବାକୁ ଥିବାବେଳେ ଏହି ଆସନ କାହା ଅକ୍ତିଆରକୁ ଯିବ ତାଉପରେ ସମସ୍ତଙ୍କ ନଜର ।