ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ଅନୁଭବଙ୍କ ଠାରୁ ନିର୍ବାଚନ ହାରିବା ପରେ ଆଉ ଗୋଟେ ନୂଆ କଥା ଏବେ ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ବିଜେଡିର ଅନୁଭବ ମହାନ୍ତି ୧ଲକ୍ଷ ୫୨ ହଜାର ୫୮୪ଖଣ୍ଡ ଭୋଟରେ ହରାଇଛନ୍ତି ବୈଜୟନ୍ତ ପଣ୍ଡାଙ୍କୁ । ଚଳିତଥର ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନକୁ ଉଭୟ ବିଜେଡି ଓ ବିଜେପି ଅଧିକ ଗୁରୁତର ଭାବେ ନେଇଥିଲେ । ଉକ୍ତ ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜୋରଦାର କରିଥିଲେ । ତେବେ ସିଏ ଯାହାବି ହେଉ କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ପରାଜୟ ନିର୍ବାଚନ ମାହୋଲକୁ ଆହୁରି ଅଧିକ ସରଗରମ କରିଛି ।
ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ପୁରା ବିଜେଡି ଦଳ ସହିତ ଏଠାରେ ବୈଜୟନ୍ତ ଯୁଦ୍ଧ କରିଥିଲେ । କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନକୁ ବାଦ ଦେଲେ ଅନ୍ୟକୌଣସି ଆସନରେ ବିଜେପିର ଟାଣୁଆ ପ୍ରାର୍ଥୀ ନଥିଲେ ଯାହା ବୈଜୟନ୍ତଙ୍କୁ ଭାରି ପଡିଲା । ସେହିଭଳି ଭୋଟକୁ ଯଦି ଦେଖିବା ଏଠାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୬ ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୪ ଲକ୍ଷ ୭୭ ହଜାର ୩୫୫ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ଚଳିତ ଥର ପାଇଛନ୍ତି ୧ଲକ୍ଷ ୧୩ ହଜାର ୮୪୧ଖଣ୍ଡ ଭୋଟ । ବୈଜୟନ୍ତ ପଣ୍ଡା ଅନୁଭବଙ୍କ ଠାରୁ ୧ଲକ୍ଷ ୫୨ ହଜାର ୫୮୪ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ।
ତେବେ ସେ ଯାହା ହେଉ ଜନମତକୁ ଗ୍ରହଣ କରିବାକୁ ସମସ୍ତେ ବାଧ୍ୟ । ଏଇ ଭିତରେ କିନ୍ତୁ ଗୋଟେ ନୂଆକଥା ଶୁଣିବାକୁ ମିଳୁଛି । ଯେହେତୁ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଓଡିଶାରେ ବିଜେପି ଶକ୍ତି ପାଇଥିଲା । ତାଙ୍କ ନେତୃତ୍ୱରେ ଦାମଙ୍କ ପରି ହେବିୱେଟ ନେତା ବିଜେପିରେ ମିଶିଥିଲେ । ସେହିଭଳି ପୂର୍ବରୁ ମଧ୍ୟ ବୈଜୟନ୍ତ ଓ ମୋଦିଙ୍କର ଭଲ ସମ୍ପର୍କ ଥିବା କଥା ସମସ୍ତଙ୍କୁ ଜଣା ଅଛି । ତେବେ ଓଡିଶାରେ ବୈଜୟନ୍ତଙ୍କ ଲୋକପ୍ରିୟତାକୁ ନଜର କରି ତାଙ୍କୁ ବିଜେପି ରାଜ୍ୟସଭାକୁ ପଠାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।