କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ମନ୍ତ୍ରୀପଡା କୁହାଯାଉଥିବା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଉପରେ ରହିଛି ସମସ୍ତଙ୍କ ନଜର । ନିର୍ବାଚନ ପାଇଁ ଆଉ ଅଳ୍ପ କେଇଦିନ ଥିବା ବେଳେ ଏଠାରେ ଆରମ୍ଭ ହୋଇ ଯାଇଛି ଟିକେଟ ରେସ । ସବୁ ଦଳରେ ରହିଛନ୍ତି ମାଳ ମାଳ ଆଶାୟୀ ପ୍ରାର୍ଥୀ । ଦଳୀୟ ଟିକେଟ ପାଇବା ପାଇଁ ଏଠାରେ ଦଳୀୟ କନ୍ଦଳ ପଦାରେ ମଧ୍ୟ ପଡୁଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି,ବିଜେଡି ଏବଂ କଂଗ୍ରେସରୁ ଟିକେଟ ପାଇଁ ଚାହିଁ ବସିଛନ୍ତି ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ । ଏବେ ଏଠାରେ ବିଧାୟକ ଅଛନ୍ତି କିଶୋର ଚନ୍ଦ୍ର ତରାଇ । ଚଳିତ ବର୍ଷ ତାଙ୍କୁ ନିର୍ବାଚନ ମଣ୍ଡଳୀରେ ବହୁ ଜନତା ବିରୋଧ କରିଛନ୍ତି ଏଣୁ ତାଙ୍କର ବିଜେଡି ଟିକେଟ କଟି ଯାଇପାରେ ବୋଲି ଶୁଣିବାକୁ ମିଳୁଛି ।
ବିଜେଡି ପକ୍ଷରୁ ଏଠାରେ ବହୁ ଆଶାୟୀ ପ୍ରାର୍ଥୀ ଅଡି ବସିଛନ୍ତି । ବିଜେଡି ମହିଳା ସଂରକ୍ଷଣ କଥା କହୁଥିବାରୁ ଏହି ଆସନରେ ମହିଳାଙ୍କୁ ଟିକେଟ ଦିଆଯାଇପାରେ ବୋଲି ଆଶା କରାଯାଉଛି । ଏଣୁ ଏଠାରେ ଯଦି ମହିଳାଙ୍କୁ ଟିକେଟ ଦିଆ ହୁଏ ତେବେ ଦୁଇ ଭଉଣୀ ବିଜେଡି ଟିକେଟ ରେସରେ ରହିବେ । ପ୍ରିୟା ଏକ ପ୍ରକାର ଟିକେଟ ଆଶାରେ ରହିଥିବା ବେଳେ ତାଙ୍କ ଭଉଣୀ ସୁପ୍ରିୟା ସରକାରୀ ଚାକିରୀ ଛାଡି ବିଜେଡି ଟିକେଟ ପାଇଁ ଚାହିଁ ବସିଛନ୍ତି । ସେପଟେ ଏଠାରେ ବିଜେଡି ଟିକେଟ ରେସରେ ରହିଛନ୍ତି ଯୁବ ବିଜେଡ଼ିର ରାଜ୍ୟ ସମ୍ପାଦକ ରାଜେଶ ଦାସ, ଇଂ. ମୂରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ ପୂର୍ବତଟ ରେଳପଥର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ପ୍ରମୁଖଙ୍କ ନାମ ଟିେକଟ୍ ଆଶାୟୀଙ୍କ ତାଲିକାରେ ରହିଛି।
ଉଭୟ ବିଜେପି ଏବଂ କଂଗ୍ରେସରେ ମଧ୍ୟ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଯେଉଁମାନେ ଟିକେଟ ଆଶାରେ ନିର୍ବାଚନ ମଣ୍ଡଳୀରେ କ୍ୟାମ୍ପେନିଂ ଆରମ୍ଭ କରି ଦେଲେଣି । ତେବେ କଂଗ୍ରେସ ଟିକେଟ ରେସରେ ଆଗରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ତାଙ୍କ ବ୍ୟତିତ ହଳଧର ସେଠୀ ଏବଂ ମାନଓ ମଲ୍ଲିକ ଟିକେଟ ଆଶାରେ ରହିଛନ୍ତି । ସେପଟେ ବିଜେପିରେ ମଧ୍ୟ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଗତକାଲି ବିଜେପିରେ ବୈଜୟନ୍ତ ଯୋଗ ଦେବା ପରେ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନ ଉପରେ ସେ ମୁଣ୍ଡ ଖେଳାଇବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଏଠାରେ ବିଜେପିର ଆଶାୟୀ ପ୍ରାର୍ଥୀ ହେଲେ ଜିଲ୍ଲା ସମ୍ପାଦିକା ଗୀତାରାଣୀ ସେଠୀ, ଉର୍ମିଳା ସେଠୀ ଓ ସୁନାକର ବେହେରାଙ୍କ ନାମ ଚର୍ଚ୍ଚାରେ ରହିଛି।