ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର ବିଜେପୁର ଆସନ ପାଇଁ ପ୍ରାର୍ଥୀପତ୍ର ଘୋଷଣା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ଥର ଲାଗି ପଶ୍ଚିମ ଓଡିଶାରେ ନିର୍ବାଚନ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ଘୋଷଣା ହୋଇଛି । ରାଜ୍ୟ ରାଜନୀତିରେ ଏଣ୍ଟ୍ରି କରିବା ଦିନଠାରୁ ହିଞ୍ଜିଳିକାଟରୁ ନିର୍ବାଚନ ଲଢ଼ି ଚାରିଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ତେବେ ହିଞ୍ଜିଳି ଆସନ ପାଇଁ ପ୍ରାର୍ଥୀ ନାମାଙ୍କନ କରିଥିବା ବେଳେ ଆଜି ବିଜେପୁର ଆସନ ପାଇଁ ନାମାଙ୍କନ କରିବେ ।
ସୋମବାର ଦିନ ଗୋଟାଏ ୩୫ ମିନିଟରେ ପଦ୍ମପୁର ସତିଭାଟା ଏୟାର ଷ୍ଟ୍ରିପରେ ପହଞ୍ଚିବେ । ୨ଟା ବେଳକୁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସେ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗତ ୧୮ ତାରିଖରେ ଗଞ୍ଜାମ ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଥିଲେ ନବୀନ । ହିଞ୍ଜିଳିରୁ ପଞ୍ଚମ ଥର ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
୨୦୧୪ ନିର୍ବାଚନରେ ବିଜେପୁର ଆସନରେ କଂଗ୍ରେସ ନେତା ସବୁଳ ସାହୁ ବିଜୟୀ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ସେହି ଆସନରେ ତାଙ୍କ ପତ୍ନୀଙ୍କୁ ବିଜେଡିରେ ସାମିଲ କରି ଦଳ ବିଜୟ ହୋଇଥିଲା । ଅନୁକମ୍ପା ଭେଟରେ ରୀତା ସାହୁ ଜିତିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ବାଦ ଦେଇ ଏହି ଆସନରେ ନିର୍ବାଚନ ଲଢ଼ିବା ପାଇଁ ନବୀନ ବାହାରି ପଡିଛନ୍ତି ।