ନୟାଗଡ (ଏଟିଆର ବ୍ୟୁରୋ); ଦ୍ୱିତୀୟ ପର୍ଯ୍ୟାୟରେ ହେବ ଦଶପଲ୍ଲା ନିର୍ବାଚନ । ତେବେ ଏହି ନିର୍ବାଚନ ମଣ୍ଡଳୀ ବିଜେଡି ଅଧିନରେ ରହିଆସିଛି । ଦୀର୍ଘ ୩ଟି ନିର୍ବାଚନ ହେବ ଏହାକୁ ବିଜେଡି ଗଡ ମଧ୍ୟ କୁହାଯାଉଛି । ତେବେ ଚଳିତ ନିର୍ବାଚନରେ ବିଜେଡିର ବିଜୟ ଏହେତ ସହଜ ହୋଇନପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିରୋଧୀମାନେ ବିଜେଡି ଗଡକୁ ଭାଙ୍ଗିବା ପାଇଁ ଜୋରସୋରରେ ବାହାରି ପଡିଛନ୍ତି । ଯାହାକୁ ନେଇ ଚିନ୍ତାରେ ରହିଛି ବିଜେଡି । ଏଣୁ ଆସନ୍ତା ୧୩ ତାରିଖରେ ଦଳର ହାଇକମାଣ୍ଡ ପ୍ରଚାର କରିବା ପାଇଁ ଦଶପଲ୍ଲା ଯିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଗାନ୍ଧି ପଡିଆରେ ଏକ ବିଶାଳ ସମାବେଶ କରି ଦଳ ନିଜର ପଟୁଆର ଦେଖାଇବା ପାଇଁ ଚେଷ୍ଠା କରିବେ ।
ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବିଜେଡି ଟିକେଟ ନଦେବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହାପରେ ବଦଳିଯାଇଛି ଦଶପଲ୍ଲା ରାଜନୀତିର ସମୀକରଣ । ପାଞ୍ଚବର୍ଷରେ ପୂର୍ଣ୍ଣଙ୍କ ନିଜସ୍ୱ ଭୋଟବ୍ୟାଙ୍କ ରହିଥିବା ବେଳେ ତାଙ୍କ ସଂପ୍ରଦାୟ ଭୋଟ ନିଜ ସପକ୍ଷରେ ଯିବ ବୋଲି ସେ ଆଶା ରଖିଛନ୍ତି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରସାନ୍ତ ମଧ୍ୟ ଧିରେ ଧିରେ ଲୋକ ସମ୍ପର୍କ ବଢ଼ାଇବା ସହିତ ଲଢ଼େଇ ଜୋରଦାର କରିବା ପାଇଁ ବାହାରି ପଡିଛନ୍ତି । ଏଣୁ ବିରୋଧୀଙ୍କ ରଣକ୍ଷେତ୍ରକୁ ଅନୁମାନ କରି ବିଜେଡି ନିଜର ଶକ୍ତିପ୍ରଦର୍ଶନ କରିବା ପାଇଁ ଦଳର ସୁପ୍ରିମୋଙ୍କୁ ପ୍ରଚାର ଅଭିଯାନରେ ସାମିଲ କରିବା ପାଇଁ ଯାଉଛି ।