ନୟାଗଡ (ଏଟିଆର ବ୍ୟୁରୋ); ଖରା ଗରମଠାରୁ ଅଧିକ ଅସହ୍ୟ ହେଉଛି ରାଜନୀତି ତାତି । ସବୁଠି ବହୁଛି ନିର୍ବାଚନୀ ଗରମ ହାୱା । ତେବେ ନୟାଗଡ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ହେବା ପରେ ଆରମ୍ଭ ହୋଇ ଯାଇଛି ନୂଆ ସମୀକରଣ । ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଏଠାରେ ହେବ କଡା ଟକ୍କର । ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ଚାଲିଛି ଜୋରଦାର କ୍ୟାମ୍ପେନିଂ । ଜନତାଙ୍କ ମନ ମୋହିବା ପାଇଁ ନେତାମାନେ ଆରମ୍ଭ କରି ଦେଇଛନ୍ତି ଅଭିନବ ପ୍ରୟାସ । ଜିଲ୍ଲାର ନୟାଗଡ ଆସନକୁ ଛାଡିଦେଲେ ବାକି ଆସନରେ ପ୍ରାର୍ଥୀ ବଦଳିଛନ୍ତି । ଏଣୁ ସବୁ ନିର୍ବାଚନ ମଣ୍ଡଳୀରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।
ନୟାଗଡ ଆସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଅରୁଣ ସାହୁ । ଦୁଇ ଦୁଇଥର ବିଧାୟକ ହେବା ପରେ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦ ମଧ୍ୟ ତୁଲାଇଛନ୍ତି ଶ୍ରୀ ସାହୁ । ତେବେ ପୂର୍ବ ନିର୍ବାଚନଠାରୁ ଏଥରକ ଟିକେ କଷ୍ଟସାଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ଟିକେଟ ନମିଳିବା ପରେ ବିଜେପିରେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ । ସେ ବିଜେପି ପ୍ରାର୍ଥୀ ଇରାନୀ ରାୟଙ୍କ ସହ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ନୟାଗଡ ବିଜେପି ତିନି ଭାଗରେ ବିଭକ୍ତ ହୋଇଥିବାରୁ ଅରୁଣଙ୍କ ପାଇଁ ଟିକେ କୋହଳ ହୋଇପାରେ ନିର୍ବାଚନ । ପୂର୍ବରୁ ବିଜେପି ନୟାଗଡରେ ଗୋଷ୍ଠୀ କନ୍ଦଳ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଅମିତ ଶାହାଙ୍କ ୧୨୦ ମିଶନକୁ ସଫଳ କରିବା ପାଇଁ ବିଜେପି କର୍ମୀ ମିଶିକରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଯୋଜନା କରିଥିବା ଶୁଣିବାକୁ ମିଳୁଛି ।
ଦଶପଲ୍ଲାରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ କଟିବା ପରେ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଟିକେଟ ପାଇଥିବା ରମେଶ ବେହେରା ଏବଂ ପୂର୍ଣ୍ଣଙ୍କ ମଧ୍ୟରେ ଏଠାରେ ମହାଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି । ଖଣ୍ଡପଡାରେ ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଏଣୁ ଏଠାରେ ମଧ୍ୟ ବିଜେଡି ବିଧାୟକଙ୍କ ଟିକେଟ କଟିଥିବାରୁ ରାଜନୈତିକ ସମୀକରଣ ବଦଳିପାରେ ବୋଲି ଅନୁମାନ କରାଯାଉଛି । ରଣପୁର ନିର୍ବାଚନ ମଣ୍ଡଳୀରେ ସମାନ ଢ଼ଙ୍ଗରେ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି । ଏଠାରେ ବିଜେଡି ବାଦଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିର ତୁଙ୍ଗ ମହିଳା ନେତା ସୁରମା ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି ।