ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଫେବୃଆରୀ ୧୧ ତାରିଖରୁ ବିଜେଡି ସରକାର ବିରୋଧରେ ବିଜେପି ପକ୍ଷରୁ ଆରମ୍ଭ ହୋଇ ଯାଇଛି ‘ଜନ ଅଦାଲତ’ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଜନ ଅଦାଲତ କରାଯିବ। ଅଦାଲତରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଡକାଯିବ। ଅଦାଲତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ ସ୍ଥାନୀୟ ଲୋକ। ଆଜି ପ୍ରଥମ ଦିନରେ ବ୍ରହ୍ମପୁର, ପୁରୀ, କଳାହାଣ୍ଡିରେ ଜନ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଫେବ୍ରୁଆରୀ ୧୨ରେ ଜନ ଅଦାଲତ ମୟୂରଭଞ୍ଜ, କେନ୍ଦ୍ରପଡ଼ା, ସମ୍ବଲପୁରରେ କରାଯିବ, ୧୩ ତାରିଖ ଦିନ ଢେଙ୍କାନାଳ, ନବରଙ୍ଗପୁର, କେନ୍ଦୁଝର, ୧୪ରେ ବରଗଡ, କଟକ, କନ୍ଧମାଳ, ୧୫ରେ ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ, ୧୬ରେ ଭଦ୍ରକ, ବଲାଙ୍ଗୀର ଓ ୧୭ରେ ଭୁବନେଶ୍ୱର, ଯାଜପୁର, ଜଗତସିଂହପୁରରେ କରାଯିବ । ଏହି କ୍ରମରେ ରାଜ୍ୟର ସମସ୍ତ ଲୋକସଭା ଆସନରେ ଏହି ‘ଜନ ଅଦାଲତ’ କରିବ ବଜେପି । ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ଫଟୋଗ୍ରାଫି ସଙ୍କଳିତ କରି ଏକ ୧୫ ମିନିଟର ପ୍ରାମାଣିକ ଭିଡିଓଗ୍ରାଫି କରାଯିବ । ଏହି ଭିଡିଓକୁ ସେହି ଅଂଚଳରେ ଜନ ସାଧାରଣଙ୍କୁ ଦେଖାଯିବ । ସେଠାରେ ଏକ ଅଦାଲତ ରୁମ କରାଯିବ । ଅଦାଲତରେ ଜଜ୍ ଏବଂ ମୁଦାଲା ରହିବେ । ସାଧାରଣ ଜନତାଙ୍କର ଯାହା ଅଭିଯୋଗ ରହିବ ତାହାକୁ ଉପସ୍ଥାପନ କରାଯିବ । ତାହାପରେ ଜନତାଙ୍କ ସମସ୍ୟାର ସମାଧାନ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ସରକାର ପରିବତର୍ରନ କରିବାକୁ ସଙ୍କଳ୍ପ ନେବେ ବୋଲି ସମୀର ମହାନ୍ତି ପ୍ରକାଶ କରିଛନ୍ତି ।
ନିର୍ବାଚନ ପାଖେଇ ଆସୁଥିବାରୁ ଜନତାଙ୍କ ମନ ମୋହିବା ପାଇଁ ସମସ୍ତ ରାଜନୈତିକ ଦଳ ଲାଗି ପଡିଛନ୍ତି । ସମସ୍ତ ରାଜ ନୈତିକ ଦଳ ବିଭିନ୍ନ ଉପାୟରେ ସମସ୍ତ ଜନତାଙ୍କୁ ଟାର୍ଗେଟ କରିଥାନ୍ତି । ମୁଖ୍ୟତଃ ବିରୋଧୀ ଦଳମାନେ ସରକାରଙ୍କ ବିଭିନ୍ନ ଖୁଣ ଲୋକଙ୍କ ଆଗରେ ବଖାଣିବା ସହିତ ଲୋକଙ୍କୁ ପରିବର୍ତ୍ତନ ପାଇଁ ଆହ୍ୱାନ କରିଥାନ୍ତି । ସେପଟେ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଲୋକଙ୍କ ଆଗରେ ପ୍ରକାଶ କରି ପୁନର୍ବାର ସରକାରରେ ଆସିବା ପାଇଁ ଚେଷ୍ଠା କରିଥାଏ ଶାସକ ଦଳ । ଏଣୁ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । କଂଗ୍ରେସ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଥିବା ବେଳେ ବିଜେପି ଜନ ଅଦାଲତ ଆରମ୍ଭ କରିଛି ।