ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚୟନ ହୋଇ ସାରିଛି କଂଗ୍ରେସ ପ୍ରାର୍ଥୀ ତାଲିକା । ଯେକୌଣସି ମୁହୂର୍ତ୍ତରେ ପ୍ରକାଶ ପାଇପାରେ ପ୍ରାର୍ଥୀଙ୍କ ନାମ । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି କଂଗ୍ରେସ । ଦିଲ୍ଲୀରେ ବାରମ୍ବାର ସ୍କ୍ରିନିଂ କମିଟି ବସିବା ପରେ ଶେଷରେ ଫାଇନାଲ ହୋଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ପୂର୍ବରୁ କଂଗ୍ରେସ ଘୋଷଣା କରିଥିଲା ବିରୋଧୀଙ୍କ ଅପେକ୍ଷା ପ୍ରଥମେ ପ୍ରାର୍ଥୀ ଘୋଷଣା କରିବା ପାଇଁ ଯଦିଓ ବିଳମ୍ବ ହୋଇ ଯାଇଛି ତଥାପି ପ୍ରଥମେ ଘୋଷଣା କରିପାରେ ବୋଲି ଅନୁମାନ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସରେ ବହୁ ଆଶାୟୀ ପ୍ରାର୍ଥୀ ଥିଲେ । ଏଣୁ ପ୍ରାର୍ଥୀ ଚୟନ କରିବା ଦଳ ପାଇଁ କଷ୍ଟସାଧ୍ୟ ହୋଇଛି । କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଦୁଇଥର ଆସିଥିଲେ ଏବଂ ସବୁ ସଂସଦୀୟ କ୍ଷେତ୍ର ବୁଲିବା ସହିତ ଆଶାୟୀ ପ୍ରାର୍ଥୀଙ୍କ ଲୋକ ସମ୍ପର୍କ ପରଖିଥିଲେ । ଏବେ ପିସିସି ସଭାପତି ଏବଂ କଂଗ୍ରେସର କିଛି ତୁଙ୍ଗ ନେତା ଦିଲ୍ଲୀ କାର୍ଯ୍ୟାଳୟରେ ପ୍ରାର୍ଥୀ ଚୟନ ପାଇଁ ଆରମ୍ଭ କରିଦେଇଛନ୍ତି କସରତ । ଅପରପକ୍ଷରେ ବିରୋଧୀ ଦଳମାନେ ପ୍ରାର୍ଥୀ ଘୋଷଣା କରିନଥିବାରୁ କଂଗ୍ରେସ ପଛଘୁଞ୍ଚା ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସେ ଯାହାବି ହେଉ ଆସନ୍ତାକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ହେବା ପାଇଁ ଥିବାରୁ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଶୁଣିବାକୁ ମିଳୁଛି ।