ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଧାୟକଙ୍କ ଦବଙ୍ଗଗିରି । ସର୍ବ ସମ୍ମୁଖରେ ସରକାରୀ ଯନ୍ତ୍ରୀଙ୍କୁ କରାଇଲେ ବସ ଉଠ । ପାଟଣାଗଡର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ କୁମାର ମେହେର ଏଭଳି କଙ୍ଗାରୁ କୋର୍ଟ ଫଇସଲା କରିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୂର୍ତ୍ତ ବିଭାଗ ଯନ୍ତ୍ରୀ କାକୁତି ମିନତି ହୋଇ କହିଥିଲେ ସୁଦ୍ଧା ଶୁଣିନଥିଲେ ବିଧାୟକ । ୧୦୦ଥର ବସ ଉଠ କରାଇଛନ୍ତି ଯନ୍ତ୍ରୀଙ୍କୁ । ବିଧାୟକଙ୍କ ଏଭଳି ବ୍ୟବହାର ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଖରାପ କମେଣ୍ଟ କରୁଛନ୍ତି ଜନସାଧାରଣ ।
ସୂଚନା ଅନୁଯାୟୀ,ଗମ୍ଭାରୀରୁ ବେଲପଡା ରାସ୍ତା ନିମ୍ନମାନର କାମ ହୋଇଛି ବୋଲି ବିଧାୟକ କହିଛନ୍ତି । ତେବେ ଏହି କାରଣରୁ ବିଧାୟକ ଯନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ୧୦୦ଥର ବସ ଉଠ ହେବାକୁ କହିଥିଲେ । ଯନ୍ତ୍ରୀ ଦୁଇ ତିନିଥର ବସ ଉଠ ହେବା ପରେ କାନ୍ଦି କାନ୍ଦି କାକୁତି ମିନତୀ ହୋଇ କହିଥିଲେ ସୁଦ୍ଧା ବିଧାୟକ ଶୁଣିନଥିଲେ । ଯଦି ୧୦୦ଥର ବସ ଉଠ ନହୁଅ ତେବେ ଜନସାଧାରଣ ପିଟିବେ ବୋଲି ମଧ୍ୟ ଧମକ ଦେଇଥିଲେ ବିଧାୟକ । ଏହି ଭୟରେ ଯନ୍ତ୍ରୀ ଜଣକ ୧୦୦ଥର ବସ ଉଠ ହୋଇଥିଲେ ।
ବିଧାୟକ ଜଣେ ଲୋକ ପ୍ରତିନିଧି ହିସାବରେ ପ୍ରଶାସନ ଆଗରେ ପ୍ରକାଶ କରିବା କଥା । ଯଦି ପ୍ରଶାସନ ନଶୁଣେ ତେବେ ବିଧାନସଭାରେ ଉପସ୍ଥାପନା କରିବା କଥା । କିନ୍ତୁ ଜଣେ ସରକାରୀ କର୍ମଚାରୀଙ୍କୁ ସର୍ବସାଧାରଣଙ୍କ ଆଗରେ ଏଭଳି ଦଣ୍ଡ ଦେବା ଅତି ନିନ୍ଦନୀୟ । ବିଧାୟକ ସରକାରୀ ଦଳର ହୋଇଥିବାରୁ ତାଙ୍କର ଭୟ କାହାକୁ ନାଁ ଡର କାହାକୁ । ଆକ୍ସନ ମୁଡରେ ଦେଖେଇ ହେବାକୁ ଯାଇ ଏଭଳି କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।