ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଭୁବନେଶ୍ବରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡ୍ (IIFT) ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। IIFT ସ୍ଥାପନ ପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଯୋଗାଇ ଦେବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଭିତ୍ତିଭୂମିର ବିକାଶ ଲାଗି ୫କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏ ନେଇ ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ୍ଙ୍କୁ ଭେଟି ଆଲୋଚନା କରିବା ସହ ଚିଠି ଲେଖି ଆଇଆଇଏଫ୍ଟିର ଆବଶ୍ୟକତା ସମ୍ପର୍କରେ ଯୁକ୍ତି ବାଢ଼ିଛନ୍ତି।ଏନେଇ ଗତ ୩ ତାରିଖରେ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ସହ ଆଲୋଚନା କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଭୁବନେଶ୍ବରରେ ଆଇଆଇଏଫ୍ଟି ପ୍ରତିଷ୍ଠା ହେଲେ ରାଜ୍ୟରୁ ରପ୍ତାନି କାରବାର କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ଓ ଓଡ଼ିଶାର ଯୁବପିଢ଼ି ପାଇଁ ଅତିରିକ୍ତ ନିଯୁକ୍ତି ସୁେଯାଗ ସୃଷ୍ଟି କରିବ। ବହୁ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଆଇଆଇଏଫ୍ଟି ପ୍ରତିଷ୍ଠା ପାଇଁ ମାଗଣାରେ ଜମି ଓ ଭିତ୍ତିଭୂମି ସହାୟତା ଯୋଗାଇ ଦେଉଛନ୍ତି। ତେଣୁ ଭୁବନେଶ୍ବରରେ ଏହାର ପ୍ରତିଷ୍ଠା ପାଇଁ ୫ ଏକର ଜାଗା ଓ ୫ କୋଟି ଟଙ୍କାର ଭିତ୍ତିଭୂମି ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।