କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନର ଆଜି ହେଉଛି ଶେଷ ପ୍ରଚାର । ଶେଷ ଦିନରେ ଭୋଟରଙ୍କ ମନ କିଣିବା ପାଇଁ ପ୍ରାର୍ଥୀମାନେ ଚେଷ୍ଟା କରିବେ । ତିନି ପ୍ରମୁଖ ରାଜନୈତିକ ଦଳ ନିଜର କଳ ଏବଂ ବଳ ପ୍ରୟୋଗ କରିବେ । ଯଦିଓ ଏଠାରେ ୭ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି ତେବେ ଏଠାରେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି । କାରଣ ଦୁଇ ଦଳର ହେବିୱେଟଙ୍କ ପ୍ରଚାରରୁ ସବୁକିଛି ବାରି ହୋଇ ପଡୁଛି ।
ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୋଡ ସୋ’ କରି ପ୍ରଚାର କରିଥିଲେ । ଶେଷ ସମୟରେ ବିଜେଡି ମୁଖିଆଙ୍କ ପ୍ରଚାର ସବୁକିଛି ପରିବର୍ତ୍ତନ କରିଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବିଜେପିର ବିଜୟଙ୍କ ଉପରେ ଭୋଟରଙ୍କ ଭରଷା । ଏଣୁ ଏଠାରେ ବିଜେପିର ବିଜୟ ନିଶ୍ଚିନ୍ତ । ଆଜି ଶେଷ ଦିନ ପ୍ରଚାରରେ କମ୍ପିବ ପାଟକୁରା ।
ତିନିଟି ଯାକ ବ୍ଳକରେ ହେବିୱେଟ ନେତା ଏବଂ ବିଧାୟକମାନେ ଡେରା ପକାଇଛନ୍ତି । ବିଜେଡିର ମନ୍ତ୍ରୀମାନେ ବିଧାନସଭା ଛାଡି ପାଟକୁରାରେ ଡେରା ପକାଇଛନ୍ତି । ଯାହାକୁ ନେଇ ଗତକାଲି ବିଧାନସଭାରେ ବିରୋଧୀମାନେ ହଟ୍ଟଗୋଳ ମଧ୍ୟ କରିଥିଲେ । ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ ହେବ । ଏଣୁ ସବୁନେତା ସେଠାକୁ ମୁହଁଛନ୍ତି । ତେବେ ଆଜି ଶେଷ ପ୍ରଚାର ହୋଇଥିବାରୁ ବିଧାନସଭାରେ ନେତାଙ୍କ ଉପସ୍ଥିତି କମ ରହିବ ବୋଲି ଅନୁମାନ କରାଯାଉଛି ।