ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହେବ । ବିଧାୟକ ସରୋଜ ମେହେର ଏବଂ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ଭିଡିଓ କନଫରେନ୍ସ ମାଧ୍ୟମରେ ନିଜର ପକ୍ଷ ରଖିଛନ୍ତି । ଉଭୟ ପକ୍ଷଙ୍କୁ ମତ ଶୁଣିବା ପରେ ଆଜି କୋର୍ଟରେ ହେବ ଶୁଣାଣି । ତେବେ ଆଜି କଣ ଶୁଣାଣି ହେବ ତାଉପରେ ସମସ୍ତଙ୍କ ନଜର ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ଜେଇଙ୍କୁ ରାସ୍ତା ଉପରେ ବସ ଉଠ କରାଇଥିଲେ ବିଧାୟକ । ଏକ ରାସ୍ତା କାମରେ ଅନିୟମିତତା ହୋଇଥିବାରୁ ସର୍ବ ସମ୍ମୁଖରେ ୧୦୦ଥର ବସ ଉଠ ହେବା ପାଇଁ ବିଧାୟକ କହିଥିଲେ । ତେବେ ବିଧାୟକଙ୍କୁ ଯେତେ କାକୁତି ମିନତି ହୋଇଥିଲେ ସୁଦ୍ଧା ସେ ଛାଡିନଥିଲେ । ବରଂ କହିଥିଲେ କି ୧୦୦ଥର ବସ ଉଠ ନହେଲେ ଲୋକମାନେ ମାଡ ମାରିବେ । ଏହାପରେ ବସ ଉଠ ହୋଇଥିଲେ ଜେଇ ।
ବସ ଉଠ ହେବା ପରଦିନ ଜେଇ ଘରେ ନପହଁଞ୍ଚିବା ପରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ବିଧାୟକ ତାଙ୍କୁ ଅପହରଣ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ ପୋଲିସ ଉଦ୍ଧାର କରି ଘରେ ଛାଡିବା ପରେ ମଧ୍ୟ ଅଭିଯୋଗ ହୋଇଥିଲା । ଜାତିକୁ ନେଇ ଆକ୍ଷେପ କରିଥିବା ଏବଂ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।
ଆଦିବାସୀ ସଂଘ ଏବଂ ଡିପ୍ଳୋସା ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ବିଧାୟକଙ୍କ ଗିରଫ ଦାବି କରି ଆନ୍ଦୋଳନ ମଧ୍ୟ କରିଥିଲେ । ଆଦିବାସୀ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ସହିତ ବିଧାନସଭା ଘେରାଉ କରିବା ପାଇଁ ଚେତାବନୀ ଦିଆଯାଇଥିଲା । ଏହାପରେ ପୋଲିସ ସରୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।