ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାତି ପାହିଲେ ଭୋଟ ଗଣତି । ଆଉ କେଇ ଘଣ୍ଟା ପରେ ଜଣା ପଡିଯିବ କେଉଁ ନେତାଙ୍କ କେତେ ଦମ । ତେବେ ଏହି ଅଙ୍କ କଷା ପୂର୍ବରୁ ଦମ୍ଭ ଦେଖାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କଂଗ୍ରେସ ରାଜ୍ୟରେ ସରକାର ଗଢ଼ିବ କି ନାହିଁ ଠିକ ନାହିଁ କିନ୍ତୁ ସେ ଦୁଇଟି ଯାକ ଆସନରେ ବିଜୟ ହେବେ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ଚଳିତ ବର୍ଷ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଘଷିପୁରା ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଛନ୍ତି । ତେବେ ସେ ଏହି ଦୁଇଟି ଆସନରେ ବାଜିମାତ କରିବେ ବୋଲି ଫଳାଫଳ ଆସିବା ପୂର୍ବରୁ ଦମ୍ଭ ଦେଖାଇଛନ୍ତି । ତେବେ ଏକଜିଟ ପୋଲ ରିପୋର୍ଟରେ ନିରଞ୍ଜନ ଗୋଟିଏ ଆସନରେ ପରାଜୟ ହେବେ ବୋଲି ପ୍ରକାଶ ପାଇଛି । କିନ୍ତୁ ନିରଞ୍ଜନ ଏହାକୁ ବିଶ୍ୱାସ କରି ନାହାଁନ୍ତି । ସେ କହିଛନ୍ତି ଏକଜିଟ ପୋଲ ଏକଜାଟ ପୋଲ ନୁହେଁ ।
ଅପରପକ୍ଷରେ ନିରଞ୍ଜନ କହିଛନ୍ତି କି ପୂର୍ବାପେକ୍ଷା ଚଳିତ ନିର୍ବାଚନରେ କଂଗ୍ରେସର ସିଟ ସଂଖ୍ୟା ବଢ଼ିବ । ବିଜେପି-ବିଜେଡି ମିଶି ସରକାର ଗଠନ କଲେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ରହିବ । ଏଥର କଂଗ୍ରେସ ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ଭଲ ପ୍ରଦର୍ଶନ କରିଛି । ଏଣୁ କଂଗ୍ରେସର ସିଟ ସଂଖ୍ୟା ବଢ଼ିବ ବୋଲି ସେ ଆଶା ରଖିଛନ୍ତି ।