ବିଜେପୁର ( ଏଟିଆର ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ଏବେ ବିଜେପୁରରେ ଲାଗିଛି ନେତାଙ୍କ ଭିଡ । ଯୁଆଡେ ଅନାଇବ ସିଆଡେ ଖାଲି ମାଳମାଳ ନେତା । ବିଜେପୁର ଉପନିର୍ବାଚନରେ ବିଜେପୁରକୁ ନିଜ ହାତକୁ ନେବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଅଣ୍ଟା ଭିଡିଥିବା ବେଳେ ପୁଣି ଗଡ ରଖିବାକୁ ବିଜେଡି ପଣ କରିଛି । ଏହି ଅବସରରେ ଆଜିଠାରୁ ଦୁଇ ଦିନିଆ ବିଜେପୁର ଗସ୍ତରେ ରହିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ବିଜେପୁର ବାସିଙ୍କ ଆସ୍ଥା ଭାଜନ ପାଇଁ ନବୀନ ସେଠାରେ ଦୁଇଦିନିଆ ରୋଡ ସୋ କରିବା ସହିତ ନିର୍ବାଚନୀ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରିବେ । ପୂର୍ବରୁ ଏଠାରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା ବେଳେ ଏଇ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଗତକାଲି ବିଜେଡି ପାଇଁ ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପ୍ରଚାର କରିଥିଲେ।
ସୂଚନାଯୋଗ୍ୟ ଗତ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ । ପରେ ନିଜ ପାରମ୍ପରିକ ଆସନ ହିଞ୍ଜିଳିକୁ ନିଜ ହାତରେ ରଖି ବିଜେପୁରରୁ ଇସ୍ତପା ଦେଇଥିଲେ । ଏହି ଅବସରରରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ବିଜେଡି ପକ୍ଷରୁ ଏଠାରେ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ସନତ ଗଡତିଆ ଓ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି ।