ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଦଳିତ ଏବଂ ଆଦିବାସୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇବା ଓଡିଶା କଂଗ୍ରେସ । ରାଜ୍ୟ ଏବଂ କେନ୍ଦ୍ର ସରକାର ଦଳିତ ମାନଙ୍କ ପ୍ରତି କରୁଥିବା ଅତ୍ୟାଚାରକୁ ପ୍ରତିବାଦ କରିବା ପାଇଁ ଆସନ୍ତା ୨୭ ତାରିଖରେ ବିଶାଳ ରାଲିର ଆୟୋଜନ କରିବ । ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ପଡିଆରେ ସମ୍ବିଧାନ ବଞ୍ଚାଅ,ଦେଶ ବଞ୍ଚାଅ ନାମରେ ଏକ ବଡ ରାଲି ଆରମ୍ଭ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଗୁମର ଖୋଲିବେ । କଂଗ୍ରେସ ଭବନରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରକାଶ କରାଯାଇଛି ।
ଏଥିରେ ପୂର୍ବତନ ବାଚସ୍ପତି ମୀରା କୁମାର ଏବଂ ବିଶିଷ୍ଟ ଦଳିତ ନେତା ଜିଗ୍ନେସ ମେଓ୍ୱାନିଙ୍କ ସହ ରାଜ୍ୟର ସିପିଆଇ ଓ ସିପିଏମ୍ ଏବଂ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ବଢିଛି । ସଂରକ୍ଷଣ ଅନୁସାରେ ନିଯୁକ୍ତି ଓ ଶିକ୍ଷା ସୁଯୋଗ ଦିଆଯାଉନାହିଁ ବୋଲି ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ ।
ଏହାସହ ୧୮ ବର୍ଷର ଶାସନ କାଳରେ ବିଜେଡି ସରକାର ଦଳିତ ଓ ଆଦିବାସୀଙ୍କ ପାଇଁ କୌଣସି ନିଜସ୍ୱ ନୀତି ଆଣିନଥିବା ବେଳେ ଉପା ସରକାର ବେଳେ ଥିବା ନୀତି ଓ ଆଇନ ସବୁକୁ ମଧ୍ୟ ଠିକଣା ଭାବେ କାର୍ୟ୍ୟକାରୀ କରୁନଥିବା କହିଛି କଂଗ୍ରେସ । ଏନେଇ ଆସନ୍ତା ୨୭ରେ ଆୟୋଜିତ ବିଶାଳ ରାଲି ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦଳିତ ଓ ଆଦିବାସୀଙ୍କ ହକ୍ ପାଇଁ କଂଗ୍ରେସ ସର୍ବଦା ଲଢିବ ବୋଲି ଚେତାଇଦେବ ।
ରିପୋର୍ଟ ; ଗୁଣନିଧି ବେହେରା