ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ବିଗୁଲ ବାଜିବା ପରଠାରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ତୁମ୍ବି ତୋଫାନ । ସବୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ସବୁ ଦଳରେ ଦେଖା ଦେଇଛି ଅସନ୍ତୋଷ । ଯାହାକୁ ନେଇ ସବୁଠି ଦେଖା ଦେଇଛି ଗଣ୍ଡଗୋଳ । ତେବେ ଏହି ଟିକେଟ ବଣ୍ଟାକୁ ନେଇ ଗାଁ ଗାଁରେ ଭାଇ ଭାଇ ମଧ୍ୟରେ ମଧ୍ୟ ଝଗଡା ଦେଖିବାକୁ ମିଳିଛି । ଆଶା କରାଯାଇନଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବା ସବୁ ଦଳର ଗଣ୍ଡଗୋଳର ମୁଖ୍ୟ କାରଣ । ଅପରପକ୍ଷରେ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରି ସଂଗଠନକୁ ଦୃଢ଼ କରିଥିବା ନେତାଙ୍କୁ ଟିକେଟନଦେବା ଫଳରେ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଣୁ ସବୁ ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ହେବା ସହିତ ଗଣ୍ଡଗୋଳ ଦେଖିବାକୁ ମିଳୁଛି ।
ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିବା ପରେ ଦଳରେ କନ୍ଦଳ ଦେଖିବାକୁ ମିଳିଥିଲା । ଗଜପତି ଜିଲ୍ଲାରେ ଟିକେଟ ବଣ୍ଟାକୁ ନେଇ ପ୍ରଥମେ ବିଜେଡି ପୋଷ୍ଟର ପୋଡିବା ସହିତ ଦଳର ସୁପ୍ରିମୋଙ୍କ ନାମରେ ନାରା ଦେଇଥିଲେ । କେବଳ ଗଜପତି ନୁହେଁ ପ୍ରଥମେ ପ୍ରକାଶ ପାଇଥିବା ନିର୍ବାଚନ ମଣ୍ଡଳୀରେ ଏଭଳି ଦେଖିବାକୁ ମିଳିଥିଲା । କନ୍ଧମାଳରେ ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ଟିକେଟ ଦେବା ପରେ କନ୍ଧମାଳରେ ମଧ୍ୟ ପ୍ରବଳ ବିଦ୍ରୋହ ହୋଇଥିଲା । ତେବେ ଶାସକ ବିଜେଡିକୁ ବାଦ ଦେଲେ ବିରୋଧୀ ଦଳରେ ଟିକେଟ ବଣ୍ଟାକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ବିଜେପି ଗତକାଲି ପ୍ରାର୍ଥୀ ଘୋଷଣା କରିବା ଦଳରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଦଳୀୟ କର୍ମୀମାନେ ପାର୍ଟି ଅଫିସ ତାଲା ପକାଇବା ସହିତ ଦଳର ସୁପ୍ରିମୋଙ୍କ ନାମରେ ନାରା ଦେଇଥିଲେ ।