କୃଷ୍ଣପ୍ରସାଦ,(ଏଟିଆର ବ୍ୟୁରୋ): ଆଉ ମାତ୍ର କେଇମାସ ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ହେଲେ ଏବେଠୁ ଦେଖିବାକୁ ମିଳିଲାଣି ନିର୍ବାଚନୀ ହିଂସା । ଘଟଣା ନଜରକୁୁ ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ । କେହି ଦୁର୍ବୃତ୍ତ ନୂତନ ବର୍ଷ ପାଇଁ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମେତ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ପୋଷ୍ଟରକୁ ପୋଡି ଦେଇଛନ୍ତି ।
ମଙ୍ଗଳବାର ରାତିରେ ଏଭଳି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏନେଇ ଥାନାରେ ବିଜେଡି କର୍ମୀଙ୍କ ପକ୍ଷରୁୁ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ନୂଆବର୍ଷକୁ ଆଖି ଆଗରେ ବିଜେଡି କର୍ମୀଙ୍କ ପକ୍ଷରୁ ଚାରିଛକ ପାଖରେ ଲାଗିଥିଲା ଏକ ବିରାଟ ପୋଷ୍ଟର । ଯେଉଁଥିରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଅନ୍ୟପଟେ ରହିଥିଲେ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ।
ତେବେ ରାତିରେ ପୋଷ୍ଟରର ଉଭୟ ପାଶ୍ୱର୍କୁ ପୋଡି ଦିଆଯାଇଛି । ପେଟ୍ରୋଲ ଢ଼ାଳି ପୋଷ୍ଟରରେ ନିଆଁ ଲଗାଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିବା ବେଳେ ଦୁର୍ବୃତ୍ତଙ୍କ ସମ୍ପର୍କରେ ଏନେଇ କୌଣସି ସୂଚନା ମିଳିପାରିନାହିଁ ।