ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ମଇଦାନ ସେତିକି ସରଗରମ ହେଉଛି । ଘଡିକେ ଘୋଡା ଛୁଟିବା ଭଳି କିଏ କେତେବେଳେ କେଉଁ ଦଳରେ ମିଶୁଛି ଏବଂ କିଏ ଦଳ ଛାଡୁଛି ଜାଣିବା କାଠିକର ପାଠ ହୋଇପଡୁଛି । ଏବେ ଆଉ ଏକ ଚର୍ଚ୍ଚା ରାଜନୈତିକ ମହଲକୁ ସରଗରମ କରିଛି । ଦୀର୍ଘ ବର୍ଷ ବିଜେଡିରୁ ଦୂରେଇ ରହିଥିବା ପ୍ରଫୁଲ୍ଲ ଘଡାଇ ପୁଣିଥରେ ଦଳକୁ ଫେରିଛନ୍ତି । ୨୦୧୪ ମସିହାରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଦଳରୁ ପ୍ରଫୁଲ୍ଲଙ୍କୁ ବହିଷ୍କାର କରାଯାଇଥିଲା । ତେବେ ସୋମବାର ମୁଖ୍ୟମନ୍ତ୍ରୀ ଏହି ବହିଷ୍କାର ପ୍ରସ୍ତାବକୁ ହଟାଇ ଦେଇଛନ୍ତି । ତେବେ ସେ ଆଗାମି ଦିନରେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ହଟିଲା ବହିଷ୍କୃତ ଆଦେଶ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ପ୍ରଫୁଲ୍ଲ ଘଡାଇଙ୍କୁ ୨୦୧୪ ସେପ୍ଟେମ୍ବର ୨୦ରେ ବିଜେଡିରୁ ବହିଷ୍କାର କରାଯାଇଥିଲା। ନବୀନଙ୍କୁ ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ବହିଷ୍କୃତ ହୋଇଥିଲେ ।
ଏପରିକି ତାଙ୍କୁ ଗତ ନିର୍ବାଚନରେ ଟିକେଟ ମଧ୍ୟ ଦେଇନଥିଲା ଦଳ । ତାଙ୍କ ବଦଳରେ ପୁଅ ପ୍ରୀତିରଞ୍ଜନ ଘଡାଇଙ୍କୁ ଦଳ ସୁକିନ୍ଦାରୁ ପ୍ରାର୍ଥୀ କରିଥିଲା । ଦଳରୁ ବହିଷ୍କାର ହେବା ପରେ ମଧ୍ୟ ପ୍ରଫୁଲ୍ଲ ବିଜେଡି ପ୍ରତି ଲଗାତାର ଆନୁଗତ୍ୟ ଦେଖାଇ ଆସିଛନ୍ତି । ଅନ୍ୟ ଦଳକୁ ନଯାଇ ବିଜେଡି ପାଇଁ କାମ କରି ଆସୁଥିଲେ ପ୍ରଫୁଲ୍ଲ । ଆଉ ଯେତେବେଳେ ଆଗାମୀ ନିର୍ବାଚନ ଜିତିବା ପାଇଁ ବିଜେଡି ରଣନୀତି କରୁଛି ସେତେବେଳେ ପ୍ରଫୁଲ୍ଲଙ୍କ ଭଳି ଅନୁଭବୀ ନେତାଙ୍କର ଆବଶ୍ୟକତା ଅନୁଭବ କରିଛି ଦଳ । ଆଉ ତାଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିଛନ୍ତି ବିଜେଡି ସୁପ୍ରିମୋ ।