ନୟାଗଡ (ଏଟିଆର ବ୍ୟୁରୋ); ସଦ୍ୟ ବିଜେଡିକୁ ବାଏ ବାଏ କହିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗ ଦେବେ । ଆସନ୍ତା ୨୩ ତାରିଖରେ ନିଜର ସମର୍ଥକଙ୍କ ସହ ପଟୁଆର କରି କଂଗ୍ରେସ ଭବନରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ପ୍ରତ୍ୟୁଷା କଂଗ୍ରେସରେ ଯୋଗ ଦେବା ପରେ ଦଳ ଆହୁରି ଶକ୍ତିଶାଳି ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସ୍ୱାମୀଙ୍କ ଦେହାନ୍ତ ପରେ ବିଜେଡି ପକ୍ଷରୁ କନ୍ଧମାଳରେ ନିକଟତମ ପ୍ରାର୍ଥୀ ରୁଦ୍ରମାଧବ ରାୟଙ୍କୁ ହରାଇ ବିଜୟ ହୋଇଥିଲେ ପ୍ରତ୍ୟୁଷା । ତେବେ ତାଙ୍କୁ ପୁନର୍ବାର ଟିକେଟ ନଦେବା ପରେ ସେ ସ୍ୱାମୀଙ୍କ ପୁରୁଣା ଦଳ କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ମିଳିଛି ।
ଅପରପକ୍ଷରେ ରାଣୀ ପ୍ରତ୍ୟୁଷା ନୟାଗଡ ଆସନ ପାଇଁ ଇଛୁକ ଥିବା ଶୁଣିବାକୁ ମିଳିଛି । ନୟାଗଡରେ ଲାଲା ମନୋଜ ରାୟଙ୍କ ପରେ ଆଉ କେହିବି ଟାଣୁଆ ନେତା କଂଗ୍ରେସରେ ନିର୍ବାଚନ ମଣ୍ଡଳୀରେ ଉଭା ହୋଇନାହିଁନ୍ତି । ଯଦିଓ ନୟାଗଡରେ ତିନି ଜଣ ଆଶାୟୀ ପ୍ରାର୍ଥୀ କଂଗେସ ଟିକେଟ ଆଶାରେ ରହିଛନ୍ତି । ତେବେ ପ୍ରତ୍ୟୁଷା ଯଦି ଦଳରେ ଯୋଗ ଦେବେ ତାହହେଲେ ସେ ନିଶ୍ଚିନ୍ତଭାବେ କଂଗ୍ରେସ ଟିକେଟ ହାତେଇବେ ବୋଲି ଶୁଣିବାକୁ ମିଳିଛି । ଏହି ଆସରେ ବିଜେଡିର ବରିଷ୍ଟ ନେତା ଅରୁଣ ସାହୁଙ୍କ ସହିତ ତାଙ୍କର ଲଢ଼େଇ ହେବ ବୋଲି ଅନୁମାନ କରାଯାଇଛି । ନିର୍ବାଚନ ମଣ୍ଡଳୀରେ ଅରୁଣଙ୍କ ଦବଦବା ଭଲ ରହିଥିବା ବେଳେ ହଠାତ ରାଣୀଙ୍କ ନୟାଗଡ ରିଟର୍ଣ୍ଣକୁ ନେଇ ଆରମ୍ଭ ହୋଇ ଯାଇଛି ନୂଆ ସମୀକରଣ । ତେବେ ସେ କଂଗ୍ରେସରେ ଯୋଗ ଦେବା ପରେ ନୟାଗଡ ରାଜନୈତିକ ପାଣିପାଗ କଣ ହେବ ତାଉପରେ ସମସ୍ତଙ୍କ ନଜର ।