ପୁରୀ (ଏଟିଆର ବ୍ୟୁରୋ); ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ ଜାରି କରାଯାଇଛି । ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ। ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ନୋଟିସ୍ ଜାରି ହୋଇଛି । ସୋମବାର ସମ୍ବିତ ଜଗନ୍ନାଥଙ୍କ ପ୍ରତିମୂର୍ତି ଧରି ପ୍ରଚାର କରିଥିଲେ । ଏହାକୁ ନେଇ ପୁରୀରେ ଜନଅସନ୍ତୋଷ ଦେଖାଦେଇଛି । ଏହି ଘଟଣାରେ ରାଜ୍ୟ କଂଗ୍ରେସର ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ।
ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାର କରିବା ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛି କଂଗ୍ରେସ। ଏ ନେଇ ପ୍ରଦେଶ କଂଗ୍ରେସର ୬ ଜଣିଆ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଫେରାଦ ହୋଇ ସମ୍ବିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି । ପୂର୍ବରୁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ଠାକୁରଙ୍କ ମୂର୍ତ୍ତି କିମ୍ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହାକୁ ଖୋଲାଖୋଲି ଉଲଂଘନ କରିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ସେହିଭଳି ନିକଟରେ ଭୋପାଳରେ ମଧ୍ୟ ଏଭଳି ଭାବେ ରାମଙ୍କ ଫଟୋ ଧରି ପ୍ରଚାର କରିଥିବାରୁ ସମ୍ବିତ ପାତ୍ରଙ୍କ ନାଁରେ ୱାରେଣ୍ଟ ଆସିଛି ତେଣୁ ତୁରନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ ବୋଲି କହିଛନ୍ତି ମୁଖପାତ୍ର ନିଶିକାନ୍ତ ପାତ୍ର ।