ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାଲେଶ୍ୱର ରେମୁଣାଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେଉଥିବା ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ରାହୁଲ ଅପରାହ୍ନ ୨ଟା ସମୟରେ ଆସି ପହଁଞ୍ଚିବେ । ଏହି ସମାବେଶରେ ରାହୁଲଙ୍କ ସହ କଂଗ୍ରେସର ଓଡିଶା ପ୍ରଭାରୀ ଟି.ଏମ.ସିଂହଦେଓ ଏବଂ ଦଳର ବହୁ ତୁଙ୍ଗ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ଦଳ ପକ୍ଷରୁ ସମସ୍ତ ସୁବିଧା କରାଯାଇଥିବା ସୂଚନା ମିଳିଛି ।
ବାଲେଶ୍ୱର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ । କାରଣ ପୂର୍ବରୁ ଏଠାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଢ଼ଙ୍ଗୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେଡି ପ୍ରାର୍ଥୀ ରବିନ୍ଦ୍ର ଜେନାଙ୍କ ପାଇଁ ନବୀନ ପଟ୍ଟନାୟକ ପ୍ରଚାର କରିସାରିଛନ୍ତି । ତେବେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ଦୁଇ ଥିବାରୁ କଂଗ୍ରେସ ହେବିୱେଟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ବାହାରି ପଡିଛନ୍ତି । ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳର ହେବିୱେଟଙ୍କ ମଧ୍ୟରେ ଲଢ଼େଇ ହେଉଥିବାରୁ ଦଳର ଷ୍ଟାର ପ୍ରଚାରକମାନେ ନିୟମିତ ଭାବରେ ଡେରା ପକାଉଛନ୍ତି ।
ସବୁଠାରୁ ବଡ କଥା ହେଉଛି ଆଜି ରାହୁଲ ନିଜର ଉଦବୋଧନରେ କଣ କହିବେ । ପୂର୍ବରୁ ଯେତେଥର ଓଡିଶା ଗସ୍ତରେ ଆସି ସଭା କରିଛନ୍ତି ସବୁବେଳେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଓଡିଶାରେ ଶେଷ ପର୍ଯ୍ୟାୟ ମତଦାନ ବାକି ଥିବାରୁ ରାହୁଲ ମୁଖ୍ୟତଃ କାହାକୁ ଟାର୍ଗେଟ କରୁଛନ୍ତି ତାଉପରେ ସମସ୍ତଙ୍କ ନଜର ।