କଳାହାଣ୍ଡି (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦୁଇଟି ସ୍ଥାନରେ ରହିଛି ରାହୁଲଙ୍କ ସାଧାରଣ ସଭା । ପ୍ରଥମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଏମିତି ଭାରତ କି ଏମିତି ଓଡ଼ିଶା ଆମର ଦରକାର ନାହିଁ ବୋଲି କହିଛନ୍ତି। ମୋଦି ଓ ନବୀନଙ୍କୁ ସମାଲୋଚନା କରିବା ସହ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା କହିଛନ୍ତି ରାହୁଲ।
ନବୀନ ପଟ୍ଟନାୟକ ଭ୍ରଷ୍ଟାଚାର ଶାସନ ଦେଇଛନ୍ତି । ରାଜ୍ୟରେ ଚିଟଫଣ୍ଡ୍ ଦୁର୍ନୀତି ମଧ୍ୟ ହୋଇଛି । ନରେନ୍ଦ୍ର ମୋଦି ରାଫେଲ୍ ଘୋଟାଲା ଦେଇଛନ୍ତି । ନୋଟବନ୍ଦୀ କରି ଜନତାଙ୍କ ଟଙ୍କା ନୀରବ ମୋଦି, ବିଜୟ ମାଲ୍ୟା, ଅନୀଲ ଅମ୍ବାନୀଙ୍କୁ ଦେଇଛନ୍ତି । ପୁଣି ରିମୋଟ କଣ୍ଟ୍ରୋଲ କଥା ଉଠାଇଲେ ରାହୁଲ । ନରେନ୍ଦ୍ର ମୋଦିଙ୍କୁ ଚୌକିଦାର ଚୋର୍ , ନବୀନ ପଟ୍ଟାନାୟକଙ୍କୁ ରିମୋଟ୍ କଣ୍ଟ୍ରୋଲ କହିଲେ ରାହୁଲ । ଏବେ ରିମୋଟ୍ କଣ୍ଟ୍ରୋଲକୁ ତଳେ ରଖନ୍ତୁ ଏବଂ ଟେଲିଭିଜନ ରିମୋଟ୍ କଣ୍ଟ୍ରୋଲକୁ ହାତରେ ନେଇ କଂଗ୍ରେସକୁ ଭୋଟ୍ ଦେବା ପାଇଁ କହିଛନ୍ତି ରାହୁଲ ।
ରାହୁଲ କହିଛନ୍ତି, କଳାହାଣ୍ଡି ସହିତ ଆମର ସମ୍ପର୍କ ବହୁ ପୁରୁଣା । ଏ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଆବଶ୍ୟକ। କଂଗ୍ରେସ ପ୍ରଧାନମନ୍ତ୍ରୀ ଏ ଅଞ୍ଚଳକୁ ଗୁରୁତ୍ବ ଦେଇଛନ୍ତି । ଜଳ, ଜମି ଓ ଜଙ୍ଗଲ ଆଦିବାସୀଙ୍କ ଅଧିକାର ରହିଛି । ସେମାନଙ୍କ ଅଧିକାର ପାଇଁ କାମ କରିଛି କଂଗ୍ରେସ । ଆଦିବାସୀ ଓ ଚାଷୀଙ୍କ ଜମି ହକ୍ କେହି ଛଡ଼ାଇ ନେଇପାରିବେନି। ଏହି ଅବସରରେ ମୋଦି ସରକାରଙ୍କୁ ରାହୁଲ ସମାଲୋଚନା କରିଛନ୍ତି । ମୋଦି ସରକାର ପୁଞ୍ଜିପତିଙ୍କ ପାଇଁ କାମ କରୁଛି । କୃଷକଙ୍କ ପ୍ରତି ମୋଦି ସରକାର ଉପହାସ କରିଛନ୍ତି । ଦିନକୁ ମାତ୍ର ୧୭ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଧନୀ ଲୋକଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରାଯାଇଛି ବୋଲି ରାହୁଲ କହିଛନ୍ତି ।