ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସିବେ ବିଜେପି ସରକାରର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ । ଉତ୍ତର ଓଡିଶା ଗସ୍ତରେ ଯିବେ ରାଜନାଥ । ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯିବ । ଏବଂ ସେଠାରେ ଉଦବୋଧନ ଦେବେ ରାଜନାଥ । ଦଳର ହାଇଭୋଲଟେଜ ନେତାଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀମାନେ ବେଶ ଖୁସି ଅଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ କର୍ମୀଙ୍କୁ ୧୨୦+ ମିଶନ ସଫଳ କରିବା ପାଇଁ ଜଣକ ପରେ ଜଣେ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସୁଛନ୍ତି । ଦଳୀୟ କର୍ମୀଙ୍କ କର୍ଣ୍ଣମନ୍ତ୍ର ଦେଇ ନିର୍ବାଚନୀ ବୈତରଣୀ ପାର ହେବା ଦଳର ମୁଖ୍ୟ ଲକ୍ଷ ।
ଓଡିଶାକୁ ବିଜେପି ହାତେଇବା ଲକ୍ଷରେ ବାରମ୍ବାର କେନ୍ଦ୍ରୀୟ ନେତା ଆସି ଡେରା ପକାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୋଟିଏ ମାସ ମଧ୍ୟରେ ତିନିଥର ଓଡିଶା ଗସ୍ତରେ ବିଭିନ୍ନ ଜାଗାରେ ସଭା ଆୟୋଜନ କରିଥିଲେ । ଦଳୀୟ କର୍ମୀଙ୍କୁ କର୍ଣ୍ଣ ମନ୍ତ୍ର ଦେଇ ନିର୍ବାଚନ ଲଢ଼ିବା ପାଇଁ ଉତ୍ସାହିତ କରୁଛନ୍ତି ଦଳର ହାଇ କମାଣ୍ଡମାନେ । ତେବେ ଏହି ତିନି ନେତାଙ୍କ ବ୍ୟତିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତା ଯୋଗୀ ଆଦିତ୍ୱନାଥ ମଧ୍ୟ ଓଡିଶା ଆସିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଯୋଗୀଙ୍କ ବ୍ୟତିତ ଗିରିଜା ସିଂହ ଏବଂ ମନୋଜ ସିହାଂ ମଧ୍ୟ ଓଡିଶା ଗସ୍ତରେ ଆସିବେ ।
ନିର୍ବାଚନ ପାଖେଇ ଆସୁଥିବାରୁ ମାଳ ମାଳ କେନ୍ଦ୍ରୀୟ ନେତା ଆସି ଓଡିଶାରେ ଡେରା ପକାଉଛନ୍ତି । ସମସ୍ତଙ୍କ ନଜରରେ ରହିଛି ଓଡିଶା । ତେବେ ଏହି ନେତାଙ୍କ ନିୟମିତ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ମଧ୍ୟ ୧୫ ଦିନ ମଧ୍ୟରେ ଦୁଇ ଥର ଓଡିଶା ଆସି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ ଏହି ନେତାଙ୍କ ବାରମ୍ବାର ଓଡିଶା ଗସ୍ତ ହେଉଥିବାରୁ ରାଜ୍ୟ ରାଜନୀତିରେ ପ୍ରଭାବ ପଡିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେପଟେ ଏହି ଓଡିଶାରେ ବିଜେଡି ଉପରେ କିଛି ପ୍ରଭାବ ପଡିନାହିଁ । ଏବଂ ପୁଣିଥରେ ବିଜେଡି ସରକାର ଗଢ଼ିବ ବୋଲି ବିଜେଡି ପକ୍ଷରୁ ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।