ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାପା ଦାମ ରାଉତରେ ବିଜେପିରେ ଯୋଗ ଦେଲେ । ଉଭଣୀ ପ୍ରୀତିନନ୍ଦା ବିଜେଡି ଛାଡିଲେ । ବାପା ଏବଂ ଭଉଣୀ ବିଜେଡିକୁ ବିରୋଧ କରୁଥିବା ବେଳେ କଣ ହେବ ସମ୍ବିତ ରାଉତଙ୍କ ଭାଗ୍ୟ? ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ବିଜେଡିରେ ଜଣେ ସକ୍ରୀୟ କର୍ମୀ ଭାବରେ ରହିଥିଲେ ସୁଦ୍ଧା ବାପା ଏବଂ ଭଉଣୀଙ୍କ ନିଷ୍ପତି ପାଇଁ ଅଡୁଆରେ ପଡିପାରନ୍ତି ସମ୍ବିତ । ଆଗାମି ନିର୍ବାଚନରେ ବିଧାୟକ ହେବାର ଆଶା ମଉଳି ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବାପା ବିଜେପିରେ ଯୋଗ ଦେବା ଦିନ ନବୀନ ନିବାସରେ ସମ୍ବିତ ଡେରା ପକାଇଥିଲେ ସୁଦ୍ଧା ତାଙ୍କୁ ପ୍ରାର୍ଥୀ କରିବା ପାଇଁ କୌଣସି ଗ୍ରୀନ ସିଗନାଲ ମିଳିନାହିଁ । ତେବେ ବାପା ଏବଂ ଭଉଣୀଙ୍କ ନିଷ୍ପତି ଆଗାମି ଦିନରେ ତାଙ୍କର ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ବୋଲି ସବୁଠି ଚର୍ଚ୍ଚା ହେଉଛି ।
ଚଳିତ ନିର୍ବାଚନରେ ପାରାଦୀପରୁ ବିଜେଡି ଟିକେଟ ପାଇଁ ଆଶାୟୀ ଅଛନ୍ତି ସମ୍ବିତ । ତେବେ ପୂର୍ବରୁ ଚର୍ଚ୍ଚା ହେଉଥିଲା କି ବାପା ଚୁପ ବସିଲେ ତାଙ୍କୁ ଟିକେଟ ମିଳିବ ଏବଂ ଭଉଣୀଙ୍କୁ ବିଏମସି ମେୟର କରାଯିବ । କିନ୍ତୁ ଦାମ ନିଜ ଜିଦରେ ଅଟଳ ରହି ଶେଷରେ ପଦ୍ମ ପୋଖରୀକୁ ଡେଇଁ ପଡିଛନ୍ତି । ଭଉଣୀ ପ୍ରୀତି ଯଦିଓ ବିଜେପକୁ ଯାଇ ନାହାଁନ୍ତି ତେବେ ସେ ବିଜେଡିରୁ ଇସ୍ତଫା ଦେବା ପରେ ବାପାଙ୍କ ସପୋର୍ଟ କରିଥିବା ଶୁଣିବାକୁ ମିଳିଛି । ତେବେ ପରିବାରର ଏଭଳି ନିଷ୍ପତି ପାଇଁ ବଳି ପଡିଯିବେ କି ସମ୍ବିତ । ମୁଖ୍ୟମନ୍ତ୍ରୀଙ୍କ ଆଶା ଏବଂ ବିଶ୍ୱାସ ହରାଇଥିବା ପରିବାରକୁ ଆଉ ଟିକେଟ ନମିଳିପାରେ ବୋଲି ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ପାରାଦୀପରେ ବିଜେଡି ଟିକେଟ ଆଶାୟୀଙ୍କ ମଧ୍ୟରେ ଆଗରେ ରହିଛନ୍ତି ସମ୍ବିତ । ଅପରପକ୍ଷରେ ପାରିବାରିକ ପ୍ରତିଦ୍ୱନ୍ଦୀ ବିଷ୍ଣୁଙ୍କ ସହ ଦାମଙ୍କ କଳି ସମ୍ବିତଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।