କେନ୍ଦୁଝର (ଏଟିଆର ବ୍ୟୁରୋ); ଓଡିଶାର ସବୁଠାରୁ ଧନୀ ନିର୍ବାଚନ ମଣ୍ଡଳୀ ହେଉଛି ଚମ୍ପୁଆ । ତେବେ ଏହି ନିର୍ବାଚନ ମଣ୍ଡଳୀରେ ସବୁବେଳେ କୋଟପତିଙ୍କ ମଧ୍ୟରେ ଲଢ଼େଇ ହୋଇଥାଏ । ଜିତୁ ପଟ୍ଟନାୟକ,ସନାତନ ମହାଖୁଡ ଏବଂ କୁଶ ଆପୋର୍ଟଙ୍କ ମଧ୍ୟରେ ହୋଇଥାଏ କଡା ଟକ୍କର । କିନ୍ତୁ ଚଳିତ ନିର୍ବାଚନରେ ଏହି ହେବିୱେଟ ନିର୍ବାଚନରୁ ଦୂରେଇ ରହିଛନ୍ତି । ଗତଥର ଚମ୍ପୁଆରେ ସ୍ୱାଧୀନ ଭାବରେ ଲଢ଼ି ସନାତନ ମହାଖୁଡ ବିଜୟ ହୋଇଥିଲେ ସୁଦ୍ଧା ଏଥରକ କାହିଁକି ଲଢ଼ିବାକୁ ମନବଳାଇଲେ ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ଉଙ୍କି ମାରୁଛି ପ୍ରଶ୍ନ ।
ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ସନାତନ ମହାଖୁଡଙ୍କ ବେଶ ଦବଦବା ରହିଛି । ତାଙ୍କର ନିଜସ୍ୱ ଭୋଟବ୍ୟାଙ୍କ ମଧ୍ୟ ରହିଛି । କିନ୍ତୁ ସେ ନିର୍ବାଚନ ନଲଢ଼ିବା ପଛର କାହାଣୀ କଣ? ତେବେ ସେ ନିର୍ବାଚନ ଲଢ଼ିବା ପାଇଁ ମନା କରିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି କି ସନା କୁଆଡେ ବିଜେଡି ସାଙ୍ଗରେ ସାଲିସ କରି ନେଇଛନ୍ତି । ଯେଉଁ କାରଣରୁ ସନାଙ୍କ ଅତି ଘନିଷ୍ଟଙ୍କୁ ଟିକେଟ ଦିଆ ଯାଇଛି । ଚମ୍ପୁଆରେ ବିଜେଡି ପ୍ରାର୍ଥୀ ହୋଇଥିବା ମୀନାକ୍ଷୀ ହେଉଛନ୍ତି ସନାଙ୍କ ଘନିଷ୍ଟ ବନ୍ଧୁଙ୍କ ପତ୍ନୀ । ଏଣୁ ସେ ବିଜେଡି ସହ ସାଲିସ କରି ମୀନାକ୍ଷୀଙ୍କୁ ଟିକେଟ ଦେଇଥିବା ଚର୍ଚ୍ଚା ହେଉଛି ।
ଅପରପକ୍ଷରେ କେନ୍ଦୁଝର ଲୋକସଭା ବିଜେଡି ଟିକେଟ ପାଇଥିବା ଚନ୍ଦ୍ରାଣୀ ମଧ୍ୟ ସନାଙ୍କ ସମର୍ଥିତ ବୋଲି ଶୁଣିବାକୁ ମିଳୁଛି । ତେବେ ସନା ନିଜ ଘନିଷ୍ଟଙ୍କୁ ବିଜେଡିକୁ କହି ଟିକେଟ ଦେଇଥିଲେ ସୁଦ୍ଧା ନିଜେ କାହିଁକି ଲଢ଼ି ନାହାଁନ୍ତି ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏବେ ସୁଦ୍ଧା ସେ ବିଜେଡିରେ ସାମିଲ ହୋଇନଥିଲେ ସୁଦ୍ଧା ଦଳର ଟିକେଟ ଆଣିବା ପଛରେ ଲୁଚି ରହିଛି ବଡ କାରଣ । ଏବେ ପୂୁଣି ନୂଆ ଚର୍ଚ୍ଚା ଆରମ୍ଭ ହେବାକୁ ଲାଗିଛି ସନାଙ୍କୁ ନେଇ । ସେ ଆଗାମି ଦିନରେ ବିଜେଡିରେ ସାମିଲ ହେବେ ଏବଂ ରାଜ୍ୟସଭା ପାଇଁ ମନୋନିତ ହେବେ । ଯେଉଁ କାରଣରୁ ସେ ବିଜେଡିରେ ଯୋଗ ନଦେଇ ମଧ୍ୟ ନିଜ ଘନିଷ୍ଟଙ୍କ ଟିକେଟ ଲବି କରିଛନ୍ତି । ତେବେ ଆଗକୁ ଦେଖିବା ପାଇଁ ବାକି ରହିଲା ସନାଙ୍କ ଭବିଷ୍ୟତ କଣ ହେଉଛି ।