କେନ୍ଦୁଝର (ଏଟିଆର ବ୍ୟୁରୋ); ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଏସଡିପିଓଙ୍କ ଅଫିସ ଘେରାଉ କଲେ ଶତାଧିକ କଂଗ୍ରେସ କର୍ମୀ । ତେବେ ପୂର୍ବରୁ ଖବର ପାଇଥିବାରୁ ଏସଡିପିଓ ଅଫିସରେ ତାଲା ପକାଇ ପଳାଇଛନ୍ତି । କର୍ମୀମାନେ ଅଫିସ ସାମନାରେ ଡେରା ପକାଇଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ଏହି ଆକ୍ରମଣ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅର ସମ୍ପୃକ୍ତି ରହିଛି ।
ସୂଚନା ଯୋଗ୍ୟ, ଗତକାଲି ପ୍ରଚାରର ଶେଷ ପର୍ଯ୍ୟାୟରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ସମର୍ଥକମାନେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣ ସାଙ୍ଗକୁ ଗୁଳିମାଡ଼ରେ ୨୦ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣକାରୀମାନେ ୧୦ଟି ଚାରିଚକିଆ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଲୁଟ୍ପାଟ୍ କରିଥିବା ଅଭିଯୋଗ ହୋଇଥିଲା।
ତେବେ ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳଙ୍କ ନେତୃତ୍ୱରେ ୫୦୦ରୁ ଅଧିକ କଂଗ୍ରେସ ନେତା ଏବଂ କର୍ମୀ ଏସଡିପିଓଙ୍କୁ ଏକ ଦାବିପତ୍ର ଦେବାକୁ ତାଙ୍କ ଅଫିସକୁ ଯାଇଥିଲେ, ମାତ୍ର ଏସଡିପିଓ ଅଫିସରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଥିବା ହେତୁ କଂଗ୍ରେସ ନେତା ଏବଂ କର୍ମୀମାନେ ଏସଡିପିଓ ଅଫିସ୍ ଘେରାଉ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଏହି ଘଟଣାରେ ପୁଲିସ୍ ଇତି ମଧ୍ୟରେ ୮ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୪ଜଣ ହେଉଛନ୍ତି କଂଗ୍ରେସର ଏବଂ ୪ଜଣ ବିଜେଡିର କର୍ମୀ ବୋଲି କୁହାଯାଉଛି। ଗତକାଲି ଆହତ କଂଗ୍ରେସ କର୍ମୀ ସଦାନନ୍ଦ ନାୟକ ଥାନାରେ ଏତଲା ଦେଇଥିଲେ।