ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବିଜେପିରୁ ପୁଣି ଜଣେ ବରିଷ୍ଠ ନେତା ଇସ୍ତଫା ଦେଲେ । ପ୍ରଥମେ ରାଉରକେଲା ବିଧାୟକ ଦିଲୀପ ରାୟ ବିଧାୟକ ପଦ ସମେତ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେବେ ବର୍ତ୍ତମାନ ଆଉ ଜଣେ ବରିଷ୍ଠ ନେତା ବିଜେପିରୁ ଇସ୍ତଫା ଦେଇଥିବା ଖବର ମିଳିଛି । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ଏନେଇ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି ।
ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି କି , ୨୦୦୯ରେ ବିଜେପି ଦଳରେ ତରଭରିଆ ଭାବେ ଯୋଗ ଦେବା ତାଙ୍କର ସବୁଠାରୁ ବଡ ଭୁଲ ନିଷ୍ପତି ଥିଲା । ଓଡିଶା ପ୍ରତି ବିଜେପିର କୌଣସି ଆନ୍ତରିକତା ନାହିଁ । ବିଶେଷକରି ମହାନଦୀ ପ୍ରସଙ୍ଗ ଉପରେ କେନ୍ଦ୍ର ଅବା ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ । ବିଜେପିର ମିଶନ ୧୨୦ ଆସନ ବାବଦରେ ସେ କହିଛନ୍ତି ଏହା ଦଳୀୟ ନେତୃତ୍ୱର ଭୁଲ ନିଷ୍ପତି । ଅନ୍ୟପଟେ ବିଜେପିରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ କୌଣସି ନିଷ୍ପତି ନିଆଯାଇନଥିବା ବିଜୟ ଜଣାଇଛନ୍ତି । ଏହାସହ ଆଗାମୀ ୧୫ ଦିନ ପରେ କୌଣସି ନିଷ୍ପତି ନିଆଯିବ ଓ ସେ ନିର୍ବାଚନ ଲଢିବେ କି ନାହିଁ ପରାମର୍ଶ ନେବା ପରେ ମତାମତ ରଖିବେ ବୋଲି ବିଜୟ କହିଛନ୍ତି ।
ଆଜି ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରାଉରକେଲା ବିଧାୟକ ଦିଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଦସ୍ତଖତ ଥିବା ଇସ୍ତଫାପତ୍ର ପଠାଯାଇଛି । ଏହି ଇସ୍ତଫାପତ୍ରରେ ଏହି ଦୁଇଜଣ ନେତା ଇସ୍ତଫା ଦେଇଥିବା କଥା ସ୍ପଷ୍ଠ ଭାବେ ଲେଖାଯାଇଛି । ସେପଟେ ରାଜ୍ୟ ବିଜେପି ମଧ୍ୟ ଘଟଣା ଉପରେ ପ୍ରତିକ୍ରିୟା ରଖିଛି । ବିଜେପିନେତା ଗୋଲକ ମହାପାତ୍ର କହିଛନ୍ତି , ସେ ଦୁଇଜଣ ନେତା ଦଳରୁ ବାହାରିଗଲେ ଦଳ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ସେମାନେ ଦଳ ମଧ୍ୟରେ ଥାଇବି କୌଣସି କାର୍ଯ୍ୟକ୍ରମକୁ ଆସୁ ନ ଥିଲେ ।