ନୟାଗଡ (ଏଟିଆର ବ୍ୟୁରୋ); ଗତକାଲି ବିଜେଡି ନୟାଗଡ ଜିଲ୍ଲାର ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ତେବେ ଏଠାରେ ଦୁଇ ଦୁଇଥର ନିର୍ବାଚନ ହାରିଛନ୍ତି ସୌମ୍ୟରଞ୍ଜନ । କିନ୍ତୁ ଏଥରକ ତାଙ୍କ ଭାଗ୍ୟ କଣ ହେବ ତାଉପରେ ସମସ୍ତଙ୍କ ନଜର । ବିଜେଡି ଟିକେଟ ପାଇଁ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଆଶାୟୀ ଥିବା ବେଲେ ଶେଷ ସମୟରେ ତାଙ୍କୁ ହତାଶ ହେବାକୁ ପଡିଛି । ଏଣୁ ସେ ବିଜେଡି ଉପରେ ଅସନ୍ତୁଷ୍ଟ ଥିବାରୁ ବିଜେଡି ପାଇଁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରେସ ପକ୍ଷରୁ ୨୦୦୯ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ସୌମ୍ୟରଞ୍ଜନ, ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ସିଦ୍ଧାର୍ଥ ଶେଖରଙ୍କଠାରୁ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ସୌମ୍ୟ କଂଗ୍ରେସରୁ ବହିଷ୍କାର ହେବା ପରେ ନିଜେ ଆମ ଓଡିଶା ପାର୍ଟି ଗଠନ କରିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ମାତ୍ର ଅଳ୍ପ ଭୋଟରେ ହାରିଥିଲେ । ହାରିବା ପରେ ମଧ୍ୟ ସବୁ ବ୍ଳକରେ ସଂଗଠନ ଦୃଢ଼ କରି ଆସିଥିବା ସୌମ୍ୟ ଶେଷରେ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ପାଇଁ ମନୋନିତ ହୋଇଥିଲେ ।
ସୌମ୍ୟ ଜଣେ ଲଢ଼ୁଆ ନେତା ହୋଇଥିବାରୁ ଦଳ ତାଙ୍କ ଉପରେ ଭରଷା କରି ଖଣ୍ଡପଡାରେ ଟିକେଟ ଦେଇଛି । ତେବେ ଏଥରକ ନିର୍ବାଚନ ତାଙ୍କ ସପକ୍ଷରେ ଯାଇନପାରେ ବୋଲି ଚର୍ଚ୍ଚା ହେଉଛି । ଏଠାରେ ମୁଖ୍ୟତଃ ତାଙ୍କର ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖରଙ୍କ ମହାଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି । ଟିକେଟ ପାଇନଥିବା ଅନୁଭବଙ୍କ ଗତି ଉପରେ ସୌମ୍ୟଙ୍କ ଭୋଟ ବ୍ୟାଙ୍କ ମଧ୍ୟ ଅନୁମାନ କରାଯାଉଛି । ଯଦି ସେ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବେ ତାହେଲେ ତାଙ୍କର ନିର୍ବାଚନ ମଣ୍ଡଳୀରେ ଥିବା ଭୋଟବ୍ୟାଙ୍କ ସେହିପଟେ ଢ଼ଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ମେ ୨୫ରେ ଜଣାପଡିଯିବ ଖଣ୍ଡପଡାବାସୀ କାହାକୁ ସମର୍ଥକ କରୁଛନ୍ତି ।