ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିଜେଡି ପକ୍ଷରୁ ଅଭିନେତାରୁ ନେତା ବନିଥିବା ପ୍ରଶାନ୍ତ ନନ୍ଦ, ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ୍ ସାମନ୍ତ ରାଜ୍ୟସଭାକୁ ଯିବେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହି ଘୋଷଣା କରିଛନ୍ତି ।
ଆଜି ସକାଳେ ସୌମ୍ୟରଞ୍ଜନ ଓ ଅଚ୍ୟୁତ୍ ସାମନ୍ତ ବିଜେଡିରେ ଯୋଗ ଦେଇଥିବା ବେଳେ ପ୍ରଶାନ୍ତ ନନ୍ଦ ଦୀର୍ଘଦିନରୁ ଦଳ ସହ ଜଡ଼ିତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ କହିଥିଲେ ଏଥର ଦଳ ୩ ଜଣ ରାଜନେତାଙ୍କୁ ରାଜ୍ୟସଭାକୁ ପଠାଇବାକୁ କହିଥିଲେ । ଅର୍ଥାତ କୌଣସି ସାମ୍ବାଦିକ କିମ୍ବା ସମାଜସେବୀଙ୍କୁ ଦଳ ରାଜ୍ୟସଭାକୁ ପଠାଇବ ନାହିଁ ।
ତଦନୁଯାୟୀ ଆଜି ସୌମ୍ୟ ଓ ଅଚ୍ୟୁତ୍ ବିଜେଡିରେ ଯୋଗଦେଇ ଦଳୀୟ କର୍ମୀ ପାଲଟିଥିଲେ । ଏହାପରେ ନବୀନ ପଟ୍ଟନାୟକ ଖାଲି ହେବାକୁ ଥିବା ୩ ରାଜ୍ୟସଭା ଆସନ ପାଇଁ ଉପରୋକ୍ତ ୩ ଜଣଙ୍କ ନାଁ ଘୋଷଣା କରିଛନ୍ତି । ଦୀର୍ଘଦିନ ହେଲା ରାଜ୍ୟସଭାକୁ କିଏ ଯିବ ସେନେଇ ଚାଲିଥିଲା ଅଙ୍କକଷା । ହେଲେ ଆଜି ନବୀନଙ୍କ ଘୋଷଣା ପରେ ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
କୁହାଯାଉଥିଲା ପଶ୍ଚିମ ଓଡ଼ିଶାର ଜଣେ ରାଜନେତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବ । ସମ୍ଭବତଃ ଜ୍ୟୋତି ପାଣିଗ୍ରାହୀ ଏହି ତାଲିକାରେ ଥିଲେ । କିନ୍ତୁ ନବୀନ ଏହି ଚର୍ଚ୍ଚାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି । ଯେହେତୁ ଏବର୍ଷ ଶେଷ ଆଡ଼କୁ କିମ୍ବା ୨୦୧୯ ପ୍ରଥମରୁ ରାଜ୍ୟରେ ସାଧାରଣ ନିର୍ବାଚନ ହେବ, ତାକୁ ଦୃଷ୍ଟିରେ ରଖି ବିଜେଡି ଏବେଠାରୁ ତା’ର ରଣନୀତିକୁ ଶାଣିତ କରିଛି । କଳବଳ କୌଶଳେ ଯେମିତି ହେଲେବି ଏଥର ରାଜ୍ୟକୁ ଦଖଲ କରିବାକୁ ଯୋଜନା କରିଛି ବିଜେଡି । ଫଳସ୍ୱରୂପ ବିଜେଡିକୁ ସର୍ବଦା ସମାଲୋଚନା କରୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରେ ସାମିଲ କରାଇଛି । କାରଣ ସୌମ୍ୟଙ୍କ ହାତରେ ରାଜ୍ୟର ସବୁଠାରୁ ଅଗ୍ରଣୀ ଖବରକାଗଜ ସମ୍ବାଦ ରହିଛି ।
ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ନିଲମ୍ବିତ ହୋଇଥିବାରୁ ତାଙ୍କ ମାଲିକାନାରେ ଚାଲୁଥିବା ଓଟିଭି ଏବେ ବିଜେଡିର ଶତ୍ରୁ । ଲୋକଙ୍କ ଆଗରେ ନିଜ ଦଳର ଭାବମୂର୍ତ୍ତିକୁ ସ୍ୱଚ୍ଛ ରଖିବା ପାଇଁ ବିଜେଡି ସୁପ୍ରିମୋ ସମ୍ବାଦର ସହଯୋଗ ନେଇଛନ୍ତି । ଯେଉଁ ସମ୍ବାଦ ବିଜେଡି ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲା, ଏବେ ତା’ର ଖବର ଉପସ୍ଥାପନ ଶୈଳୀ ବଦଳିବ । ଯାହା ଦଳକୁ ଫାଇଦା ଦେବ । ତେଣୁ ସବୁଆଡ଼ୁ ଭାବି ବିଚାରି ନବୀନ ସୌମ୍ୟଙ୍କୁ ଦଳରେ ସାମିଲ କରିଛନ୍ତି ।
ସେହିପରି ଅଚ୍ୟୁତ୍ ସାମନ୍ତ ହେଉଛନ୍ତି କିଟ୍ ଓ କିସ୍ର ପ୍ରତିଷ୍ଠାତା । ଜଣେ ବିଶିଷ୍ଟ ସମାଜସେବୀ ହିସାବରେ ତାଙ୍କର ଦବ୍ଦବା ରହିଛି । ଏଥିସହ ଆଦିବାସୀଙ୍କ ନେତା ଭାବରେ ଅଚ୍ୟୁତଙ୍କ ନାଁ ରହିଛି । ତେଣୁ ଅଚ୍ୟୁତ୍ ସାମନ୍ତ ରାଜ୍ୟସଭାକୁ ଗଲେ ବିଜେଡିର ଭୋଟବ୍ୟାଙ୍କ ଅଧିକ ଶକ୍ତିଶାଳୀ ହୋଇପାରିବ ।
ଏବେ ଆସିବା ପ୍ରଶାନ୍ତ ନନ୍ଦଙ୍କ ପାଖକୁ । ପ୍ରଶାନ୍ତ ନନ୍ଦ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଥିଲେ । ହେଲେ ଦୁର୍ନୀତି ଅଭିଯୋଗ ଆସିବା ପରେ ନବୀନ ତାଙ୍କୁ ସେଠାରୁ ତଡ଼ି ଦେଇଥିଲେ । ଏପରି କି ବୋଲଗଡ଼ ବେଗୁନିଆ ବିଧାୟକ ଭାବେ ମଧ୍ୟ ତାଙ୍କୁ ୨୦୧୪ରେ ଟିକେଟ୍ ମିଳି ନଥିଲା । କିନ୍ତୁ ଦେଢ଼ବର୍ଷ ହେଲା ସେ ସରକାରଙ୍କ ତୁଣ୍ଡ ଭାବେ କାର୍ଯ୍ୟ କରୁଥିଲେ । ଅର୍ଥାତ ସେ ଦଳର ମୁଖପାତ୍ର ଦାୟିତ୍ୱ ନିର୍ବାହ କରୁଥିଲେ । କେଉଁଠି ନା କେଉଁଠି ତାଙ୍କ ମନରେ ରାଜ୍ୟସଭା ଯିବାକୁ ଆଶା ଥିଲା । ତେଣୁ ନବୀନ ଆଜି ସେହି ଆଶାକୁ ସାକାର କରିଛନ୍ତି । ଏହି ୩ ନେତା ଦିଲ୍ଲୀ ଦରବାରରେ ରାଜ୍ୟର ସମସ୍ୟା କେମିତି ଉଠାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।