ନୟାଗଡ (ଏଟିଆର ବ୍ୟୁରୋ); ଖଣ୍ଡପଡା ଆସନ ପାଇଁ ବିଜେଡି ରାଜ୍ୟସଭା ସାଂସ ସୌମ୍ୟରଞ୍ଜନଙ୍କୁ ପ୍ରାର୍ଥୀ କରିଛି । ଆଜି ସୌମ୍ୟ ବିଶାଳ ଶୋଭଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ନାମାଙ୍କନ କରିଛନ୍ତି । ଏହି ସମୟରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ଖଣ୍ଡପଡ଼ାର ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର କୁମାର ରଣସିଂହ ଏବଂ ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ସୌମ୍ୟରଞ୍ଜନଙ୍କ ପରେ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ନୟାଗଡ ଜିଲ୍ଲାର ହେବିୱେଟ ନେତା ଅରୁଣ ସାହୁ । ତେବେ ଦୁଇଜଣ ବରିଷ୍ଟ ନେତାଙ୍କ ନାମାଙ୍କନ ଗୋଟିଏ ଦିନରେ ହେଉଥିବାରୁ ନୟାଗଡ ସହରରେ ଲୋକଙ୍କ ଭିଡ ରହିଛି । ଦକ୍ଷିଣ କାଳୀ ମନ୍ଦିରଠାରୁ ଆରମ୍ଭ କରି ରାଧାକୃଷ୍ଣ ସିନେମା ହଲ ଏବଂ ସିନ୍ଦୁିରିଆ ପର୍ଯ୍ୟନ୍ତ ଗହଳି ଲାଗି ରହିଛି । ହଜାର ହଜାର ସମର୍ଥକଙ୍କ ଗହଣରେ ପଟୁଆର କରି ଦୁଇ ନେତା ନେତା ନାମାଙ୍କନ କରିବେ । ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରମେଶ ବେହେରା ପୂର୍ବରୁ ନାମାଙ୍କନ ଦାଖଲ କରିଥିବା ବେଳେ ଏହି ଦୁଇଟି ଆସନରୁ ବିଜେଡି ପ୍ରାର୍ଥୀ ବାକି ରହିଥିଲେ ।
ଖଣ୍ଡପଡାରେ ସୌମ୍ୟରଞ୍ଜନ ଦୁଇଥର ପରାଜୟ ହୋଇଥିଲେ ସୁଦ୍ଧା ଏଥରକ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ବିଜେପି ସିଦ୍ଧାର୍ଥ ଶେଖରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବସନ୍ତ ମହାରଣାଙ୍କୁ ପ୍ରାର୍ଥୀ କରିଛି । ଏଣୁ ଏଠାରେ ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।