ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ୪ଟି ପର୍ଯ୍ୟାୟରେ ୨୧ ଲୋକସଭା ଏବଂ ୧୪୬ ବିଧାନସଭା ପାଇଁ ମତଦାନ ସରିଛି । କେନ୍ଦ୍ରାପଡା ଲୋକସଭା ଆସନ ଅଧିନସ୍ଥ ପାଟକୁରରେ ବାକି ରହିଛି ନିର୍ବାଚନ । ଏଠାରେ ବିଜେଡି ଗତକାଲି ପ୍ରାର୍ଥୀ ଘୋଷଣା ମଧ୍ୟ କରିଛି । ବିଜେଡି ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି । ଏଠାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବର୍ଷିୟାନ ନେତା ବିଜୟ ମହାପାତ୍ର । ତେବେ ଏଠାରେ ନିର୍ବାଚନ ଆସନ୍ତା ୧୯ ତାରିଖରେ ହେବ । ନିର୍ବାଚନ ପୂର୍ବରୁ ବିଜୟ ବିଜେଡି ସୁପ୍ରିମୋଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।
ବିଜୟ ମହାପାତ୍ର କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କର ଯଦି ସତ ସାହସ ଅଛି ତେବେ ମୋ ସହ ଆସି ପାଟକୁରାରେ ଲଢ଼ି ଦେଖାନ୍ତୁ । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରେ ପ୍ରାର୍ଥୀ ହୋଇଛନ୍ତି । ତେବେ ନିୟମ ଅନୁସାରେ ୩ଟି ଆସନରେ ନିର୍ବାଚନ ଲଢ଼ିପାରିବେ ସୁପ୍ରିମୋ । ଏଣୁ ବିଜୟ ଖୋଲାଖୋଲି ଆହ୍ୱାନ କରିଛନ୍ତି କି ମୋ ସହ ନିର୍ବାଚନ ଲଢ଼ିକି ଦେଖାଅ । ପଛରେ ରହି ହୀନ ଚକ୍ରାନ୍ତ କରି କା’କୁ ନପଠାଇବା ପାଇଁ ।
ପାଟକୁରରେ ବିଜେଡି ପ୍ରଥମେ ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା । ତେବେ ନିର୍ବାଚନର ୯ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଯେଉଁ କାରଣରୁ ଏଠାରେ ନିର୍ବାଚନ ତାରିଖକୁ ସ୍ଥଗିତ ରଖାଯାଇଛି । ଏଠାରେ ଆସନ୍ତା ୧୯ ତାରିଖରେ ମତଦାନ ହେବା ନେଇ ସୂଚନା ଦିଆଯାଇଛି । ତେବେ ଓଡିଶାରେ ସାମୁଦ୍ରିକ ଝଡ ‘ଫୋନି’ ପାଇଁ ନିର୍ବାଚନ ତାରିଖକୁ ଘୁଞ୍ଚାଇବା ପାଇଁ ବିଜେଡି ସୁପ୍ରିମୋ ଦିଲ୍ଲୀ ଯାଇ ଇସିଙ୍କୁ ଭେଟିବେ ବୋଲି ଶୁଣିବାକୁ ମିଳିଛି । ବାରମ୍ବାର ତାରିଖ ଘୁଞ୍ଚଯାଉଥିବାରୁ ନବୀନଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ।