ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶଙ୍ଖ ଧରିଲେ ସୁବାଷ ଚୌହ୍ୱାନ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ତେବେ ସେ ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି । କିନ୍ତୁ ବରଗଡ ସଂସଦୀୟ କ୍ଷେତ୍ରରେ ସୁବାଷଙ୍କ ଲୋକ ସମ୍ପର୍କ ଭଲ ଥିବାରୁ ବିଜେଡିରେ ଯୋଗ ଦେବା ପରେ ଦଳକୁ ଫାଇଦା ମିଳିବ ବୋଲି ଆଶା କରାଯାଇଛି । ସେ କହିଛନ୍ତି କି ମୁଁ ନିର୍ବାଚନ ନଲଢ଼ିଲେ ସୁ୍ଦ୍ଧା ଲୋକଙ୍କ ସେବା କରିବା ପାଇଁ ସବୁବେଳେ ଥିଲି ଏବଂ ରହିଥିବି । ଅଧର୍ମ ବିରୋଧରେ ଧର୍ମର ଲଢେଇ ଜାରି ରହିବ । ନିଃସର୍ତ ଭାବେ ସେ ବିଜେଡିରେ ସାମିଲ ହେଉଥିବା କହିଛନ୍ତି ।
ବରଗଡ ସଂସଦୀୟ କ୍ଷେତ୍ରରେ ସୁବାଷଙ୍କ ଭଲ ଲୋକ ପ୍ରିୟତା ଥିବା ବେଳେ ବିଜେପି ତାଙ୍କୁ ଟିକେଟ ଦେଇନଥିଲା । କେତେକ ମୁଷ୍ଟିମେୟ ନେତାଙ୍କ ଯୋଜନା କ୍ରମେ ତାଙ୍କର ଟିକେଟ କଟିଥିଲା । କିନ୍ତୁ ବରଗଡରେ ସଂଗଠନକୁ ଦୃଢ଼ କରିଥିଲେ ସୁବାଷ । ତାଙ୍କ ଟିକେଟ କଟିବା ପରେ ବାଧିଥିବାରୁ ଶେଷରେ ବାଧ୍ୟ ହେଇ ଦଳ ଛାଡିଥିବା ସେ କହିଛନ୍ତି । ତେବେ ତାଙ୍କୁ ବିଜେଡି ଦଳରେ ମିଶାଇ ସୁବାଷଙ୍କ ଫାଇଦା ଉଠାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗତକାଲି ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଏବଂ ଆଜି ବିଜେଡିରେ ସାମିଲ ହୋଇଛନ୍ତି ସୁବାଷ । ସେ କହିଥିଲେ, ପଶ୍ଚିମ ଓଡିଶାର ଓବିସି ସମାଜ ପାଇଁ ଏହା ଅପମାନ । ବିଜେପିକୁ ସମର୍ଥନ କରିବା ପାଇଁ ବରଗଡବାସୀ ପ୍ରସ୍ତୁତ ଥିବା ବେଳେ ତାଙ୍କର ଲୋକସଭା ଆସନ ଟିକେଟ କାଟି ଦିଆଯାଇଛି । ଜନତାଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ହେବା ପରେ ତାଙ୍କୁ ବିଜେପୁରରୁ ଲଢିବାକୁ କୁହାଯାଇଥିଲା ।