ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ । ଗତ ୨୧ ତାରିଖରେ ମାଜିଷ୍ଟ୍ରେଟଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିବା ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଛନ୍ତି । କେତେକ ସର୍ତ୍ତ ସହିତ ୫୦ ହଜାର ଟଙ୍କରା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ଦେଇଛନ୍ତି କୋର୍ଟ । କେସ ଡାଏରୀ ଓ ମେଡିକାଲ ସାର୍ଟିଫିକେଟର ଯାଞ୍ଚ ପରେ ତାଙ୍କୁ ଜାମିନ ମିଳିଛି । ଆହୁରି ମଧ୍ୟ ସେ ସାକ୍ଷୀ ମାନଙ୍କୁ ଧମକାଇବା ବା ପ୍ରଭାବିତ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।
ସୂଚନାଯୋଗ୍ୟ ଗତ ୨୧ ତାରିଖ ରାତିରେ ଫ୍ଲାଇଁ ସ୍କ୍ୱାଡ ତାଙ୍କ ଫାର୍ମ ହାଉସରେ ଚଢାଉ କରିଥିଲା । ଚଢାଉ ବେଳେ ସେ ଏବଂ ତାଙ୍କ ସମର୍ଥକ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୁଲିସ ମହାରଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ସ୍ୱାସ୍ଥ୍ୟଗତ ଅସୁବିଧା ପାଇଁ ସେ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇଥିଲେ ।
ତବେ ଗତ ୨୪ ତାରିଖରେ ତାଙ୍କର ଜାମିନ ଆବେଦନ ପାଇଁ ଶୁଣାଣୀ ତାରିଖ ରହିଥିଲା । ମାତ୍ର ଉକ୍ତଦିନ କେସ ଡାଏରୀ ଦାଖଲ ହୋଇ ନ ପାରିବାରୁ କୋର୍ଟ ଆଜିକୁ ଶୁଣାଣୀ ଘୁଞ୍ଚାଇ ଥିଲେ । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ପରି ସଂଗୀନ ଦଫା ଲାଗିଥିଲା । ତେବେ ଆଜି ଏନେଇ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ମହାରଥିଙ୍କୁ ଜାମିନ ଦେଇଛନ୍ତି ।