ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାପା ପଛେ ପଛେ ପୁଅକୁ ନେଇଗଲା ନିଷ୍ଠୁର କରୋନା । ବିଶିଷ୍ଟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପ୍ରାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ଦେହାନ୍ତ ହୋଇଛି । କରୋନରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହୋଇଥିଲେ ପ୍ରଶାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
କରୋନାରେ ସଂକ୍ରମିତ ହେବା ପରେ ବାପ-ପୁଅ ଉଭୟ ଏମ୍ସରେ ଚିକିତ୍ସିତ ହେଉଥିଲେ । କିନ୍ତୁ ମେ ୯ ତାରିଖରେ ବାପା ରଘୁନାଥଙ୍କୁ ନେଇ ଯାଇଥିଲା କରୋନା । ଏବେ ପୁଣି ପୁଅକୁ ନେଇ ଯାଇଛି ନିଷ୍ଠୁର କରୋନା । ମାତ୍ର ୧୧ ଦିନ ମଧ୍ୟରେ ବାପ-ପୁଅଙ୍କ ଜୀବନ ନେଇଛି କରୋନା ।
ସୂଚନାଯୋଗ୍ୟ, ୪୭ବର୍ଷୀୟ ପ୍ରଶାନ୍ତ ଜଣେ ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇର ମ୍ୟାଚ୍ ରେଫରୀ ଥିଲେ । ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ।