କଟକ(ଏଟିଆର ବ୍ୟୁରୋ): କଟକ ଏସସିବି ମେଡିକାଲରେ ଦିନକୁ ପ୍ରାୟ ୩୦ ରୁ ଅଧିକ ଜୀବନ ଯାଉଛି । ମୃତ ଶବକୁ ନେବା ପାଇଁ ସରକାରଙ୍କ ମହାପ୍ରୟାଣ ଯୋଜନାରେ ମାତ୍ର ୩ଟି ଶବ ବାହାକ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି ।
ଶବବୁହା ଗାଡିର ଅଭାବରେ ପ୍ରତିଦିନ ମୃତକଙ୍କ ପରିବାର ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଘରୋଇ ଶବବୁହା ଗାଡି ଗୁଡିକ ଶବ ନେବା ପାଇଁ ମନ ଇଚ୍ଛା ଟଙ୍କା ନେଉଛିନ୍ତି । ଏହା ଫଳରେ ଅନେକ ସମୟରେ ଗରିବ ଲୋକମାନେ ଅର୍ଥ ଅଭାବରେ ଶବ ଘରକୁ ନେବା ପାଇଁ ବହୁ ସମସ୍ୟାର ସମ୍ନା କରୁଛନ୍ତି ।
ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ପ୍ରିପେଡ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବା ପାଇଁ ଯୋଜନା କରାଯାଇଛି । ଏହି ଯୋଜନା ଘରୋଇ ଶବବାହକ ଗାଡି ଓ ଆମ୍ବୁଲାନ୍ସ ଗାଡି ମାଲିକ ମାନେ ଏସସିବି ସହ ସହବନ୍ଧିତ ହେବେ । ଫଳରେ ମୃତକଙ୍କ ପରିବାର ଲୋକ କିମ୍ବା କୌଣସି ରୋଗୀଙ୍କୁ ଆମ୍ବୁଲାନ୍ସ ଅଭାବରେ ଆଉ ହଇରାଣ ହେବାକୁ ପଡିବ ନାହିଁ ।
ଏହି ଯୋଜନାରେ ସରକାରୀ ମୂଲ୍ୟରେ ରୋଗୀ କିମ୍ବା ଶବ ନେବା ପାଇଁ କମ୍ ଟଙ୍କାରେ ଘରୋଇ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ପ୍ରିପେଡ ଅଟୋ ସେବା ଭଳି ପ୍ରିପେଡ ଆମ୍ବୁଲାନ୍ସ ସେବା ମଧ୍ୟ ସମାନ ଢଙ୍ଗରେ କାର୍ଯ୍ୟକାରୀ ହେବ ।
ସୂଚନା ଅନୁସାରେ ପ୍ରିପେଡ ଆମ୍ବୁଲାନ୍ସ ସେବା ପାଇଁ ଏସସିବି ମେଡିକାଲ ପରିସରରେ ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ । ଏବଂ ଖୁବ ଶୀଘ୍ର ଏହି ଯୋଜନା ଟି କାର୍ଯ୍ୟକାରୀ ହେବାକୁ ଯାଉଛି ।