ନୂଆପଡା (ଏଟିଆର ବ୍ୟୁରୋ); କେନ୍ଦ୍ର ଏବଂ ରାଜ୍ୟ ସରକାର ଗାଁର ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି ବୋଲି ତିମିଣ୍ଡି ପିଟୁଛନ୍ତି । ତେବେ ଏହା କେବଳ କାଗଜ ପତ୍ରରେ ସିମିତ ରହିଯାଇଛି । କାରଣ ସ୍ୱାଧୀନତା ଏତେ ଦିନ ପରେ ମଧ୍ୟ ସବୁ ଗାଁକୁ ଭଲ ରାସ୍ତା ଖଣ୍ଡେ ହୋଇନାହିଁ । ଯେଉଁ କାରଣରୁ ବାରମ୍ବର ରୋଗୀ ହୁଅନ୍ତୁ ବା ପ୍ରସୁତି ଭାରରେ ବୁହା ହେଉଥିବାର ଦୃଶ୍ୟ ନଜରକୁ ଆସୁଛି । ଓଡିଶାରେ ଏହା ଅଧିକ ଦେଖିବାକୁ ମିଳୁଛି । ବାରମ୍ବାର ଖବର ପ୍ରସାରଣ କରିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନାହିଁ । ନିଘୋଡ ନିଦ୍ରାରେ ସରକାର ଏବଂ ପ୍ରଶାସନ । ଟେୁଁ କଥା ଆମେ ନୁହେଁ ସାଧାରଣ ଲୋକ ଅଭିଯୋଗ କରି ଆସୁଛନ୍ତି ।
ନୂଆପଡା ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲରେ ପହଁଞ୍ଚାଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ରାଜ୍ୟ ସରକାର ଗ୍ରାମାଞ୍ଚଳର ଉନ୍ନତି କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । କିନ୍ତୁ ଏଯାବତ ରାଜ୍ୟର ଅନେକ ଅପହଞ୍ଚ ଅଞ୍ଚଳ ଅଛି ଯେଉଁ ସ୍ଥାନକୁ ଯାତାୟତ ପାଇଁ ସୁବିଧା ସୁଯୋଗ ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଳକରେ । ଜଣେ ଗର୍ଭବତୀଙ୍କୁ ବିପଦ ସଙ୍କୁଳ ଭାବରେ ନଦୀ ପାର କରାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସିନାପାଲି ବ୍ଳକର ଚିତାରମା ଗାଁର ବିଜେଶ୍ୱରଙ୍କ ସ୍ତ୍ରୀ ପ୍ରସବ ଯନ୍ତ୍ରଣା ଅନୁଭବ କରୁଥିଲେ । ତେବେ ଲଗାଣ ବର୍ଷା ପାଇଁ ସେ ମେଡିକାଲ ଆଣିବା ପାଇଁ ସକ୍ଷମ ହୋଇନଥିଲେ । କାରଣ ଗାଁକୁ ରାସ୍ତା ନାହିଁ । ଅପରପକ୍ଷରେ ଗାଁକୁ ଯିବା ପାଇଁ ଯେଉଁ ନଦୀ ପଡୁଛି ସେଠାରେ ଶଙ୍ଖ ମଧ୍ୟ ନାହିଁ । ଯେଉଁ କାରଣରୁ ପରିବାର ଲୋକ ପ୍ରସୂତିଙ୍କୁ କିପରି ମେଡିକାଲରେ ପହଁଞ୍ଚାଇବେ ଚିନ୍ତାରେ ପଡିଯାଇଥିଲେ ।
ତେବେ ଗାଁ ଲୋକ ତାଙ୍କୁ ସହାୟକ ହୋଇଥିଲେ । ଗୋଟିଏ ଷ୍ଟ୍ରେଚର ମାଧ୍ୟମରେ ଚାରିଜଣ ତାଙ୍କୁ ନଦୀରେ ଅଣ୍ଟେ ଅଣ୍ଟେ ପାଣିରେ ପାସ କରିଥିଲେ । ଅନ୍ୟଜଣେ ପ୍ରସୂତିଙ୍କ ଉପରେ ପାଣି ନପଡିବା ପାଇଁ ଛତା ଦେଖାଇ ପାର କରିଥିଲେ । ଥରେ ଭାବନ୍ତୁ ସେହି ସମୟର କଥା । ଯଦି ଟିକେ ଗୋଡ ଖସିଯାଏ ତେବେ କଣ ହେବ? ଭଗବାନଙ୍କ ଦୟାରୁ ଭଲରେ ଆରପଟେ ପହଁଞ୍ଚି ଯାଇଥିଲେ ।
ନଦୀ ଆରପାଖ ସିନ୍ଦୁରସିଲ ଗାଁରେ ସିନାପାଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲରିଆ ନିରାକରଣ କାର୍ଯ୍ୟକ୍ରମ ହେଉଥିଲା। ସ୍ୱାସ୍ଥ୍ୟକର୍ମୀମାନେ ଏପରି ଅବସ୍ଥା ଦେଖି ପ୍ରସୂତିଙ୍କୁ ନିଜ ଗାଡ଼ିରେ ନେଇ ସିନାପାଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରସୂତି ସୁସ୍ଥ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ମା’ଗୃହକୁ ପଠାଇ ଦିଆଯାଇଥିଲା। ଖବର ଲେଖାଯିବା ସୁଦ୍ଧା ସେ ପ୍ରସବ କରି ନଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଠି ଏଭଳି କେତୋଟି ଘଟଣା ପରେ ଏହି ଅଞ୍ଚଳକୁ ରାସ୍ତା ଏବଂ ଶଙ୍ଖ ନିର୍ମାଣ ହେବ ।