ନୀଳଗିରି (ଏଟିଆର ବ୍ୟୁରୋ); ନିଆଁରେ ପୋଡି ହୋଇଗଲେ ଗର୍ଭବତୀ ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଶରୀର ୪୦ ଶତକଡା ପୋଡି ହୋଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ ସଜନାଗଡ ନୂଆସାହି ଗାଁରେ । ଗାଁର ଶୁରେଶ ମରେଡିଆଙ୍କ ପତ୍ନୀ କୌଶଲ୍ୟା ନିଆଁରେ ପୋଡି ହୋଇ ଯାଇଛନ୍ତି । ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଗୁରୁବାର ଚୁଲି ପାଖରେ ବସି ନିଆଁ ପୂଆଁଉ ଥିବା ବେଳେ ଘୋଡେଇ ହୋଇଥିବା ଚଦରରେ ନିଆଁ ଲାଗିଯାଇଥିଲା । ତେବେ ଏହି ନିଆଁ ଦେହରେ ଲାଗି ଯିବା ଫଳରେ ସେ ପାଟି କରି ଡାକିଥିଲେ । ପରିବାର ଲୋକ ପାଟି ଶୁଣି ତାଙ୍କୁ ନିଆଁ ଦାଉରୁ ବଞ୍ଚାଇ ଥିଲେ । ପରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ସେଠାରେ ଚିକିତ୍ସିତ ହେଉଛନ୍ତି ।