ମାଲକାନଗିରି (ଏଟିଆର ବ୍ୟୁରୋ); ଡଙ୍ଗାରେ ପ୍ରସବ କଲେ ମହିଳା । ନଦୀ ପାର ହୋଇ ମେଡିକାଲକୁ ଯାଉଥିବା ସମୟରେ ଦେଶୀ ଡଙ୍ଗାରେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ବିଛିନ୍ନଞ୍ଚଳ ଜୋଡାମ୍ବ ପଞ୍ଚାୟତର ଦୋରାଘାଟ ଗ୍ରାମରେ । ଗାଁର ପରମାନନ୍ଦ ଖରାଙ୍କ ପତ୍ନୀ ବତୀ ଖରାଙ୍କୁ ବିଳମ୍ବିତ ରାତିରେ ମେଡିକାଲ ନେଉଥିବା ସମୟରେ ଡଙ୍ଗାରେ ଜନ୍ମ ଦେଇଥିବା ଜଣା ପଡିଛି । ଏବେ ମା ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି ।
ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ବତୀଙ୍କ ପ୍ରସବ ବେଦନା ଅସହ୍ୟ ହେବା ପରେ ତାଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକ ବାହାରିଥିଲେ । ତେବେ ଗାଁ ବିଛିନ୍ନାଞ୍ଚଳରେ ଥିବାରୁ ମେଡିକାଲକୁ ଯିବା ପାଇଁ ହେଲେ ଡଙ୍ଗାରେ ଯିବା ପାଇଁ ପଡିଥାଏ । ଏଣୁ ଦୀର୍ଘ ବାଟରେ ଡଙ୍ଗାରେ ପରିବାର ଲୋକ ନେଇ ଯାଉଥିବା ବେଳେ ଡଙ୍ଗାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ବତୀ । ପରେ ଘାଟରେ ପହଁଞ୍ଚିବା ପରେ ବୋଲେର ଯୋଗେ ମେଡିକାଲରେ ପହଁଞ୍ଚିଥିଲେ ।
ସରକାର ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଥିବା ବେଳେ ଏଭଳି ଦୃଶ୍ୟ ନଜରକୁ ଆସୁଛି । ଯାହାକି ଅତ୍ୟନ୍ତ ନିନ୍ଦନୀୟ । ରାଜକୋଶରୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା ମାତ୍ର ବିଛିନ୍ନାଞ୍ଚଳରେ ରହୁଥିବା ଆଦିବାସୀ ଆଜି ବି ରହି ଯାଇଛନ୍ତି ଅନ୍ଧକାରରେ । ବାରମ୍ବାର ଏଭଳି ଦୃଶ୍ୟ ଲୋକ ଲୋଚନକୁ ଆସୁଥିଲେ ମଧ୍ୟ ସରକାର କିମ୍ବା ପ୍ରସାସନର ଦୃଷ୍ଟି ଗୋଚର ହେଉ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।