ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷ ହେଲା ସବୁ ପ୍ରତିକ୍ଷାର ଅନ୍ତ । ବହୁ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି । ଓଡିଶା ରାଜନୀତିର ବରିଷ୍ଠ ନେତା ପଞ୍ଚାନନ କାନୁଗୋ କେଉଁ ଦଳରେ ଯୋଗ ଦେବେ ସେ ନେଇ ରାଜ୍ୟ ରାଜନୀତିରେ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିଲା । ତେବେ ଆଜି ସମସ୍ତଙ୍କ ଦ୍ୱନ୍ଦ ଦୂର କରି କଂଗ୍ରେସରେ ଯୋଗ ଦେବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ପଞ୍ଚାନନ । ରାହୁଲଙ୍କ ତମାଣ୍ଡେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଦ୍ଧିବଧ ଭାବରେ ଦଳରେ ଯୋଗ ଦେବେ । ବରିଷ୍ଠ ନେତାଙ୍କ ଘର ବାହୁଡା ହେବା ପରେ ଦଳରେ ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘ ୧୧ ବର୍ଷ ପରେ ସକ୍ରୀୟ ରାଜନୀତିକୁ ଫେରିଛନ୍ତି ଶ୍ରୀ କାନୁନଗୋ । ତେବେ ସେ ୧୧ ବର୍ଷ ପୂବେ ବିଜେଡି ଦଳରେ ଜଣେ ସକ୍ରୀୟ ନେତା ଥିବା ବେଳେ ସରକାରଙ୍କ ଅର୍ଥମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ ।
କିଛି ଦିନ ହେବ ପଞ୍ଚାନନ କେଉଁ ଦଳରେ ମିଶିବେ ତାକୁ ନେଇ ବହୁ ଚର୍ଚ୍ଚା ହେଉଥିଲା । ପ୍ରଥମେ ସେ ଦାମଙ୍କ ସହ ମିଶି ଦଳ ଗଢ଼ିବେ ବୋଲି ଶୁଣା ଯାଉଥିଲା । ଆଉ କେହି କେଡି କହୁଥିଲେ କି ସେ ପୁନର୍ବାର ବିଜେଡିରେ ଯୋଗ ଦେବେ । ସେପଟେ ବିଜେପିରେ ମଧ୍ୟ ଯୋଗ ଦେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଆଜି ରାହୁଲଙ୍କ ଗସ୍ତରେ ସବୁ କିଛି ବଦଳି ଗଲା । ଏବଂ ସବୁ ଚର୍ଚ୍ଚାର ଅବସାନ ଘଟାଇ କଂଗ୍ରେସରେ ଯୋଗ ଦେବେ ବରିଷ୍ଠ ନେତା । ତେବେ ବରିଷ୍ଠ ନେତାଙ୍କ ଦଳରେ ଯୋଗ ଦାନ ଫଳରେ ଦଳ ଅଧିକ ମଜବୁତ ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେପଟେ ନିକଟରେ ଦଳରୁ ବହୁ ତୁଙ୍ଗ ନେତା ଇସ୍ତଫା ଦେବା ପରେ ଦଳ ଚିନ୍ତାରେ ପଡି ଯାଇଥିଲା । ମାତ୍ର ପଞ୍ଚାନନଙ୍କ ପରି ବରିଷ୍ଠ ନେତା ଦଳରେ ଯୋଗ ଦେବା ଫଳରେ ଦଳ ପୁନର୍ବାର ସକ୍ରିୟ ହୋଇଯିବ ବୋଲି ଆଶା ରଖିଛି କଂଗ୍ରେସ ।
ପଞ୍ଚାନନ ୧୯୭୦ ମସିହାରେ କଂଗ୍ରେସରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ । ତେବେ ସେ ଜରୁରୀ କାଳିନ ପରିସ୍ଥିତିରେ ଜେଲ ଯିବା କାରଣରୁ କଂଗ୍ରେସ ଦଳ ଛାଡିଥିଲେ । ପରେ ସେ ବିଜୁ ବାବୁଙ୍କ ସହ ଜନତା ଦଳରେ ଯୋଗ ଦେଇଥିଲେ । ୧୯୭୭ ମସିହାରେ ସେ ଗୋବିନ୍ଦପୁର ଆସନରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ । ଏହା ପରେ ସେ ୧୯୯୫ ମସିହାରେ ମଧ୍ୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଜିତି ବିଜୟ ହୋଇଥିଲେ । ପରେ ୧୯୯୭ ମସିହାରେ ବିଜେଡି ଗଠନ ହେବା ବେଳେ ପଞ୍ଚାନନଙ୍କର ପ୍ରମୂଖ ଭୂମିକା ଥିଲା । ୨୦୦୦ ମସିହାରେ ମଧ୍ୟ ସେ ବିଜେଡି ଟିକେଟରେ ଜୟ କରିଥିଲେ । ଏବଂ ସରକାରଙ୍କ ଅର୍ଥମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ମାତ୍ର ୨୦୦୪ ସାଧାରଣ ନିର୍ବାଚନରେ ପରାସ୍ତ ହୋଇଥିଲେ ପଞ୍ଚାନନ । ପରେ ସେ ବହୁ ଦଳ ବିରୋଧୀ ମନ୍ତବ୍ୟ ଦେବାରୁ ତାଙ୍କୁ ୨୦୦୮ ମସିହାରେ ବିଜେଡିରୁ ତଡା ଖାଇଥିଲେ । ଏହା ପରଠାରୁ ସେ ଭୋଟ ରାଜନୀତିରୁ ଦୂରେଇ ରହିଥିଲେ । ମାତ୍ର ବିଭିନ୍ନ ସମୟରେ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହୁଥିଲେ ଶ୍ରୀ କାନୁନଗୋ ।