ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଓ ଶଟ ଡାଉନ୍ ଭଳି ନିୟମ ଜାରି ରହିଛି । ଯାହାଫଳରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ପ୍ରଭାବିତ ହୋଇଛି । ଅନେକ ଲୋକ ରୋଜଗାର ହରେଇଛନ୍ତି । ଯେଉଁଥି ପାଇଁ ସେମାନଙ୍କ ପରିବାର ପୋଷିବା କଷ୍ଟକର ହୋଇ ପଡୁଛି । ମାତ୍ର ଏହାରି ମଧ୍ୟରେ ଘରୋଇ ସ୍କୁଲ ଗୁଡିକ ଛାତ୍ର-ଛାତ୍ରୀଙ୍କ ସ୍କୁଲ ଫି ନେବାକୁ ଜିଦ୍ ଧରି ବସିଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଲା କରୋନା ପାଇଁ ସ୍କୁଲ ବନ୍ଦ ରହିଥିବା ବେଳେ ସ୍କୁଲ ଫି କାହିଁକି ଦେବୁ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ଏହାସହିତ ଘରୋଇ ସ୍କୁଲର ୬ମାସର ଫି ଛାଡ କରିବା ପାଇଁ ଓଡିଶା ଅଭିଭାବକ ମହାସଂଘ ଡାକରାରେ ସାର ଓଡିଶାର ୨୬ ଟି ଜିଲ୍ଲାର ଅଭିଭାବକମାନେ ନିଜ ନିଜ ଘରେ ପ୍ଲାକାର୍ଡ ଧରି ଦୀର୍ଘ ଚାରି ଘଣ୍ଟା ପର୍ୟ୍ୟନ୍ତ ଧାରଣାରେ ବସିବା ସହ ନୀରବ ନିବେଦନ କରିଛନ୍ତି ।
ଏହାବ୍ୟତିତ ଝାରଖଣ୍ଡ ସରକାରଙ୍କ ପରି ଏକ ଅର୍ଡର ଆଣିବାକୁ ଓଡିଶା ମୁଖ୍ୟମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ଅଭିଭାବକ । କରୋନା ଲକ୍ ଡାଉନ୍ ପାଇଁ ଝାରଖଣ୍ଡ ସରକାରଙ୍କ ପକ୍ଷରୁ ୬ ମାସର ସ୍କୁଲ ଫି ଛାଡ ପାଇଁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ସେଥିପାଇଁ ଝାରଖଣ୍ଡ ସରକାରଙ୍କ ନିର୍ଦ୍ଦେଶ ଭଳି ଓଡିଶା ସରକାର ମଧ୍ୟ ଏକ ନିର୍ଦ୍ଦେଶ ଜାରି କରି୬ ମାସର ସ୍କୁଲ ଫି ଛାଡ କରନ୍ତୁ ବୋଲି ଅଭିଭାବକ ମାନେ ଅନୁରୋଧ କରିଛନ୍ତି ।
ଏନେଇ ଓଡିଶା ଅଭିଭାବକ ମହାସଂଘର ଚେୟାରମ୍ୟାନ ବାସୁଦେବ ଭଟ୍ଟ କହିଛନ୍ତି କି, କରୋନା ପାଇଁ ଅନେକ ଅଭିଭାବକଙ୍କ ରୋଜଗାର ଠପ ହୋଇଯାଇଛି ।
ମାର୍ଚ୍ଚ ମାସରୁ ଲାଗୁହୋଇଥିବା ଲକ୍ ଡାଉନରେ ସେମାନଙ୍କ ଆର୍ଥିକ ସମସ୍ୟା ଦେଖାଦେଇଛି । ଏଭଳି ସ୍ଥିତିରେ ସେମାନେ ପରିବାର ଚଳାଇବା ଲାଗି ବି ସକ୍ଷମ ନୁହଁନ୍ତି । ସେଥିପାଇଁ ଲକ୍ ଡାଉନର ପ୍ରଥମ ପର୍ୟ୍ୟାୟରେ ଅଭିଭାବକ ମହାସଂଘର ଧାରଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଘରୋଇ ସ୍କୁଲକୁ ୩ ମାସ ଫି ଛାଡ ବା ପରେ ନେବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ବି ଘରୋଇ ସ୍କୁଲ ଗୁଡିକ ଶୁଣିନଥିଲି ଅଭିଭାବକଙ୍କ ଠାରୁ ଫି ଆଦାୟ କରିଥିଲେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି କେନ୍ଦ୍ର ପକ୍ଷରୁ ପାଠ୍ୟସୂଚୀ କମ କରିବା ପାଇଁ ଏନସିଆରଟି କୁ ପରାମର୍ଶ ଦିଆଯାଇଛି । ସ୍କୁଲ ଗୁଡିକ ଅନଲାଇନ୍ କ୍ଲାସ ପାଇଁ ଫି ନେବା ଉଚିତ୍ ନୁହେଁ । କାରଣ କେନ୍ଦ୍ର ପକ୍ଷରୁ ସମସ୍ତ ଅନଲାଇନ୍ ଆପ୍ଲିକେସନ ମାଗଣାରେ ଦିଆଯାଇଛି ।
ସେହିପରି ଅନେକ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଅନଲାଇନ୍ କ୍ଲାସର ସୁବିଧା ଉଠାଇ ପାରୁ ନାହାନ୍ତି । ଏହାପରେ ବି ଘରୋଇ ସ୍କୁଲ ଗୁଡିକ ସେମାନଙ୍କ ସମସ୍ତ ଫି ନେବା ପାଇଁ ଦାବି କରୁଛନ୍ତି ।
ରାଜ୍ୟର ଘରୋଇ ସ୍କୁଲର ଏକ ସଂଘ ପକ୍ଷରୁ କୁହାଯାଇଛି କି, ଲକ୍ ଡାଉନ୍ ସମୟରେ ୧୫ ପ୍ରତିଶତ ଫି କମ କରିବାର ନିଷ୍ପତି ନିଆଯାଇଛି । ଏନେଇ ଓଡିଶା ହାଇକୋର୍ଟରେ ମାମଲା ଦାଖଲ କରାଯାଇଛି । ଏହାର ଶୁଣାଣି ଜୁଲାଇ ୦୯ ତାରିଖରେ ହୋଇପାରେ । ପୂର୍ବରୁ ହିଁ ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ବାର୍ଷିକ ଶୁଳ୍କ କୁ ୧୫ ପ୍ରତିଶତ କମ କରିବା ପାଇଁ ଆମର ସହମତି ରହିଛି ।