ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ତାତିଲେ ବେସରକାରୀ ଅଭିଭାବକ ମହାସଂଘ । ଲକ ଡାଉନରେ ୩ ମାସର ଅତିରିକ୍ତ ଫି ଛାଡ କରିବାକୁ ଅଭିଭାବକ ମାନେ ଦେଲେ ଧାରଣା । ବେସରକାରୀ ସ୍କୁଲ ଲକ ଡାଉନ ପାଇଁ ୩ ମାସର ସ୍କୁଲ ଫି ଛାଡ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବାକୁ କଲେ ଦାବି । ଏହି ଅବସରରେ ଆଜି ଭୁବନେଶ୍ୱର ଘରୋଇ ସ୍କୁଲ ଅଭିଭାବକ ମହାସଂଘ ପକ୍ଷରୁ ଜୟଦେବ ଭବନ ସମ୍ମୁଖରେ ଧାରଣା ପର୍ଦଶନ କରାଯାଇଛି । ଅଭିଭାବକ ମାନେ ସାମାଜିକ ଦୂରତା ରକ୍ଷା ପୂର୍ବକ ଦୀର୍ଘ ପାଞ୍ଚଘଣ୍ଟା କାଳ ପ୍ଲାଗକାର୍ଡ ଧରି ଧାରଣାରେ ଠିଆ ହୋଇଥିଲେ । ଅଭିଭାବକ ମହାସଂଘ ଅଭିଯୋଗ କରିଛି, ବେସରକାରୀ ସ୍କୁଲ ମାନେ ଯୋର ଜବରଦସ୍ତି ସ୍କୁଲ ଫି ମାଗୁଛନ୍ତି । ଫୋନ ଓ ୱାଟସଅପ ଜରିଆରେ ମାର୍ଚ୍ଚ ଓ ଅପ୍ରେଲ ମାସ ପାଇଁ ସମସ୍ତ ଫି ଦେବାକୁ ବାଧ୍ୟ କରୁଛନ୍ତି । ଏମିତିକି ଫି ନଦେଲେ ପରୀକ୍ଷା ଓ ଅନଲାଇନ କ୍ଲାସକୁ ମଧ୍ୟ ବନ୍ଦ କରିଦେବାର ଧମକ ଦେଉଛନ୍ତି । ଯାହା ଏବେ ଘରୋଇ ସ୍କୁଲରେ ପାଠ ପଢାଉଥିବା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଏନେଇ ଅଭିଭାବକ ମହାସଂଘ ପକ୍ଷରୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଥିଲା ଯେଉଁଥିରେ ବେସରକାରୀ ସ୍କୁଲ ମାନଙ୍କୁ ସ୍କୁଲ ଫି ଛାଡ କରିବା କିମ୍ବା ଘୁଞ୍ଚାଇବା ପାଇଁ ନିବେଦନ କରାଯାଇଥିଲା । ମାତ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନକୁ ମଧ୍ୟ ମାନିବାକୁ ନାରାଜ ହୋଇଛନ୍ତି ରାଜ୍ୟର କେତେକ ବଡବଡ ଘରୋଇ ସ୍କୁଲ । ଯାହାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା । ଯାହାର ଉତ୍ତର ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ।
ଏବେ ଘରୋଇ ଅଭିଭାବକ ମାନେ ଧାରଣାରେ ରହି ଦାବି କରିଛନ୍ତି ଯେ, କରୋନା ମହାମାରୀ ସମୟରେ ବେସରକାରୀ ବିଦ୍ୟାଳୟ ମାନଙ୍କରେ ମାସିକ ଫି , ରିଆଡମିସନ ଫି, ପରିବହନ ଫି ଆଦି ଆଦାୟ ବନ୍ଦ କରାଯାଉ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଘରୋଇ ସ୍କୁଲ ପାଇଁ ନିର୍ଦେଶନାମା ଜାରି କରାଯାଉ । ସୂଚନାଯୋଗ୍ୟ ଏଇ ନିକଟରେ ଏଇ ସମାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତଭାବେ ଅନୁରୋଧ କରିଥିଲେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଦିଲ୍ଲୀ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । କେଉଁ ପରିତସ୍ଥିତିରେ ଘରୋଇ ସ୍କୁଲ ଏଭଳି ଏକ ଅଭାବନୀୟ ସମୟରେ ଅଭିଭାବକଙ୍କ ଉପରେ ଚାପ ପ୍ରୟୋଗ କରି ଫି ଦାବି କରୁଛନ୍ତି ତାକୁ ସରକାରଙ୍କ ଦୃଷ୍ଟି ଗୋଚର କରିଥିଲେ। ସେ ରାଜ୍ୟ ସରକାରଙ୍କୁ ନିବଦେନ କରିଥିଲେ ପ୍ରାଇଭେଟ ସ୍କୁଲ ଗୁଡିକ କେବଳ ଟ୍ୟୁସନ ଫି ବ୍ୟତୀତ ଅନ୍ୟସବୁ ଫି ଛାଡ କରନ୍ତୁ, ୨୦୨୦ – ୨୧ ବର୍ଷରେ କୌଣସି ଫି ବୃଦ୍ଧି ନକରନ୍ତୁ ।
ଅନ୍ୟପଟେ ସମ୍ବଲପୁରର ଆଡଭୋକେଟ ମହମ୍ମଦ ସୁସତାକ ଅନସରୀଙ୍କ ଦ୍ୱାରା ହାଇକୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ତାଲାବନ୍ଦ ଯୋଗୁ ସମସ୍ତଙ୍କ ଆର୍ଥିକ ସ୍ଥିତି ଭୁଷୁଡି ପଡିଛି । ରୋଜଗାର ଏକ ପ୍ରକାର ଠପ ହୋଇଯାଇଛି । ଫଳରେ ଅଭିଭାବକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦ ରୁ ଜୁନ ୨୦ କ୍ଲାସ ଆରମ୍ଭ ହେବା ପର୍ୟ୍ୟନ୍ତ ସମସ୍ତ ଫି କୋହଳ କରିବାକୁ ।ଆହୁରି ମଧ୍ୟ ଅପିଲ କରାଯାଇଥିଲା ୨୦୨୦ ଓ ୨୧ ଶିକ୍ଷା ବର୍ଷରେ କୌଣସି ଶୁଳ୍କ ବୃଦ୍ଧି ନ କରାଯାଉ । ତେବେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଏକ ନୋଟିସ ଜାରି କରି ଜବାବ ତଲବ କରାଯାଇଥିଲା । ଯାହାର ଏକ ଶୁଣାଣୀ ଗତ ମେ ୧ ତାରିଖକୁ ଧାର୍ୟ୍ୟ ହୋଇଥିଲା । ତେବେ ଦେଖିବାକୁ ବାକି ରହିଲା ଲକ ଡାଉନ ସମୟରେ ଆଜିର ଏହି ଧାରଣା କେତେ ମାତ୍ରାରେ ସରକାରଙ୍କୁ ପ୍ରଭାବିତ କରୁଛି ।