ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ଲାଗି ପ୍ରଶାସନ ପକ୍ଷରୁ ପରୀକ୍ଷାମୂଳକ ଭାବେ ଆଜିଠୁ ଧାଡି ଦର୍ଶନ ନିୟମ ଲାଗୁ ହୋଇଛି । ମାତ୍ର ପ୍ରଥମ ଦିନରୁ ନିୟମ ଉଲଂଘନ କରିଛନ୍ତି ଭକ୍ତ । ପ୍ରଶାସନ ଦ୍ୱାରା କରାଯାଇଥିବା ନିୟମକୁ ବେଖାତିର କରାଯାଇଛି । ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଜିଲ୍ଲାପାଳ ।
ନିୟମ ଅନୁଯାୟୀ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ, ଏବଂ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ବାଇଶ ପାହାଚରେ ରେଲିଙ୍ଗ୍ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କିନ୍ତୁ ପ୍ରଥମ ଦିନରୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଭୋରୁ ମନ୍ଦିର ଦ୍ୱାର ଖୋଲାହେବା ପରେ ଭକ୍ତ ଧାଡିରେ ଯିବା ବଦଳରେ ନିଜ ବଳପୂର୍ବକ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଭକ୍ତ ଧାଡି ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ତ ଆଉ କିଛି ଭକ୍ତ ବାରିକେଡ୍ ଭାଙ୍ଗି ଦେଇଥିଲେ । ଏନେଇ ପୋଲିସ ଏବଂ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଯାହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ସୁପ୍ରିମକୋର୍ଟର ପରାମର୍ଶ ଅନୁଯାୟୀ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ପ୍ରଶାସନ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଥିଲା । ଯଦି ଶୃଙ୍ଖଳିତ ଭାବେ ଭକ୍ତ ସପ୍ତାହକୁ ଥରେ ଧାଡିରେ ରହି ଦର୍ଶନ କରିବେ ତେବେ ଆଗାମୀ ଦିନରେ ଏହି ନିୟମକୁ ସ୍ଥାୟୀ ଭାବେ ଲାଗୁ କରାଯିବ ।