ପୁରୀ (ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିରକୁ ବର୍ଷ ତମାମ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତମାନେ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିବା ସହ ତାଙ୍କ ମହାପ୍ରସାଦ ମଧ୍ୟ ସେବନ କରିଥାନ୍ତି । ହେଲେ ଅନେକ ସମୟରେ ଏହି ମହାପ୍ରସାରଦର ମୂଲ୍ୟ ଶୁଣି ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ । ଭକ୍ତଙ୍କ ଏହି ଅସନ୍ତୋଷକୁ ଦେଖି ମହାପ୍ରସାଦର ସଠିକ ଓ ସୁଲଭ ମୁଲ୍ୟକୁ ନିର୍ଦ୍ଧାରଣ କରି ଆନନ୍ଦ ବଜାରର ବିଭିନ୍ନ ସ୍ଥାନରେ ଲଗାଇବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଯାହା କେବଳ ଗୋଟିଏ ନିର୍ଦ୍ଦେଶ ହୋଇ ରହିଯାଇଛି ।
ଅବଢା ଆଣିବା ସମୟରେ ଯେପରି ସୁଆରମାନଙ୍କ ସହ ମୂଲଚାଲ ହେବ ନାହିଁ କି ଭକ୍ତମାନେ ଯେପରି ଦୁର୍ବ୍ୟବହାରର ଶିକାର ହେବେ ନାହିଁ ସେଥିପାଇଁ ଏହି ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିରର ପରିଚାଳନା କମିଟିର ଅନେକ ବୈଠକ ବସିବା ସତ୍ୱେ ମହାପ୍ରସାଦର ମୂଲ୍ୟ ଧାର୍ଯ୍ୟ ସମ୍ପର୍କରେ କାହିଁକି ଆଲୋଚନା ହେଉନାହିଁ ତାହାକୁ ନେଇ ସାଧାରଣ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ସୁଆର ମାନଙ୍କ ସହ ମନ୍ଦିର ପ୍ରସାଶନ ଆଲୋଚନା କରିବା ସହ ଅବଢାର ମୂଲ୍ୟ ଧାର୍ଯ୍ୟ କରିବାକୁ ସୁପ୍ରିର୍ମକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିବା ସତ୍ୱେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ତେବେ ଏ ସମ୍ପର୍କରେ କରିଚାଳନା କମିଟିର ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ରଙ୍କ ପଚାରିବାରୁ ସେ କହୁଛନ୍ତି, ମହାପ୍ରସାଦର ଦର ନିର୍ଦ୍ଧାରଣ କରିବା ପାଇଁ ସବ କମିଟି ଗଠନ କରାଯାଇଥିବା ବେଳେ ଅବଢାର ଦର ମଧ୍ୟ ଚୂଡାନ୍ତ ହୋଇଛି ।
ତେବେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଆସିବା ପରେ ପରିଚାଳନା କମିଟିରେ ଏହାକୁ ଅନୁମୋଦନ କରାଯିବ । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବ ବୋଲି ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ୨୦୧୮-୧୯ ବର୍ଷ ପାଇଁ ଶ୍ରୀମନ୍ଦିର ନିମନ୍ତେ ୧.୫କୋଟି ଟଙ୍କାର ବଜେଟ କରିଥିଲେ ମଧ୍ୟ ଏହାର ସୁପରିଚାଳନା କରାଯାଇପାରୁ ନାହିଁ । ତେବେ ଏବେ ଖାଲି ଦେଖିବାକୁ ବାକି ରହିଲା ଏହି ବିଷୟ ଉପରେ କେବେ ମନ୍ଦିର ପ୍ରସାଶନର ନିଦ ଭାଙ୍ଗିବ ଓ ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।