ପୁରୀ (ଏଟିଆର ବ୍ୟୁରୋ) : ନିଜ ଜିଦରେ ଅଟଳ ଶ୍ରୀମନ୍ଦିର ସେବାୟତ । ନା ଅନୁରୋଧ ଶୁଣିଲେ ନା ବୁଝିଲେ । କାହାରି କଥା ଶୁଣିବାକୁ ଯେମିତି ରାଜି ନାହାଁନ୍ତି ସେବାୟତମାନେ । ସାମାନ୍ୟ ଜିଦ ପାଇଁ ସକାଳୁ ଉପାସ ରହିଛନ୍ତି ଶ୍ରୀଜୀଉ । ପୁଲିସ ମାଡରେ ସେବାୟତ ଆହତ ହେବା ଘଟଣା ଆଜି ଏମିତି ମୋଡ ନେଇଛି ଯେ, ନିଜେ ମହାପ୍ରଭୁ ବି ସେବାୟତ ଓ ପ୍ରଶାସନ ଆଗରେ ପାଲଟି ଯାଇଛନ୍ତି ଅସହାୟ । ହେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ତାତିଛନ୍ତି ଭକ୍ତ ।
ଆଜି ସକାଳୁ ନା ଦ୍ୱାର ଫିଟିଛି ନା ମଙ୍ଗଳ ଆଳତୀ ହୋଇଛି । ନୀତିକାନ୍ତି ଆରମ୍ଭ ହୋଇ ନଥିବାରୁ ଓପାସରେ ରହିଛନ୍ତି ମହାପ୍ରଭୁ । ବାରମ୍ବାର ପ୍ରଶାସନ ଓ ସେବାୟତଙ୍କ ଭିତରେ ଆଲୋଚନା ହୋଇଥିଲେ ବି ସବୁ ଆଲୋଚନା ବିଫଳ ହୋଇଛି । ପ୍ରଶାସନ କଥାରେ ସେବାୟତ ରାଜି ନହେବା ଫଳରେ ହାତ ଟେକି ଦେଇଛି ପ୍ରଶାସନ । ହେଲେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଦୀର୍ଘସମୟ ଧରି ସିଂହଦ୍ୱାର ସମ୍ମୁଖରେ ଅପେକ୍ଷା କରିଥିବା ଭକ୍ତ କିନ୍ତୁ ତାତିଛନ୍ତି । ପୁଲିସ ସୁରକ୍ଷା ବଳୟକୁ ଠେଲି ଲୁହା ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଛନ୍ତି ଭକ୍ତ । ଏହାକୁ ନେଇ ସିଂହଦ୍ୱାର ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।
ଦୁଇଜଣ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବାକୁ ନେଇ ସେବାୟତ ଭବାନୀ ଶଙ୍କର ମହାପାତ୍ରଙ୍କ ସହ ଜଣେ ପୁଲିସ କର୍ମଚାରୀଙ୍କ ଯୁକ୍ତିତର୍କ ହୋଇଥିଲା ଗତକାଲି । କିଛି ପୁଲିସ କର୍ମଚାରୀ ମିଶି ଭବାନୀଙ୍କୁ ଆକ୍ରମଣ କରିଥିବା ଗତକାଲି ପୁରୀ ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର କମାଣ୍ଡରଙ୍କ ନିକଟରେ ଅଭିଯୋଗ କରିଥିଲେ ଭବାନୀ । ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ହେବ ବୋଲି ପୁଲିସ କହିଥିବା ବେଳେ ଏହାକୁ ମାନିବାକୁ ରାଜି ନୁହଁନ୍ତି ସେବାୟତ । ଏପରିକି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଜିଲ୍ଲାପାଳ ଓ ନୀତି ପ୍ରଶାସକ ଉଭୟ ପ୍ରତିଶ୍ରୁତି ଦେବା ସହ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ କରିବାକୁ ସେବାୟତଙ୍କୁ ଅନୁରୋଧ କରିଥିଲେ । ହେଲେ କାହାରି କଥା ଶୁଣିବାକୁ ରାଜି ନାହାଁନ୍ତି ସେବାୟତ । ଏମିତିକି ସେବାୟତମାନେ ମେଳି ହୋଇ ବେହରଣ ଦ୍ୱାର ପାଖରେ ଥିବା ସୂଚନା ମିଳିଛି ।