ପୁରୀ (ଏଟିଆର ବ୍ୟୁରୋ) : ଶ୍ରୀମନ୍ଦିର ଅଚଳାବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଦେଉଳ ମାମଲାରେ ସରକାର ଶୀର୍ଷସ୍ତରରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ଠାକୁରଙ୍କ ଆଦ୍ୟସେବକ ଗଜପତି ।
ଗଜପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୂଙ୍କ ସେବା ପୂଜା ଠାରୁ ଆଉ କିଛି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଠାକୁରଙ୍କୁ ଅପୂଜା ରଖିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ ହୁଏ ଏବଂ ଏ କ୍ଷେତ୍ରରେ ସରକାର ତାହା କରିବାକୁ କହିଛନ୍ତି ଗଜପତି । ଏହାସହ ଶ୍ରୀମନ୍ଦିରର ପବିତ୍ର ପରମ୍ପରାରେ କଳଙ୍କ ନଲଗାଇବା ସହ ନୀତିକାନ୍ତି ଆରମ୍ଭ କରିବାକୁ ସବୁ ପକ୍ଷକୁ ଅନୁରୋଧ କରିଛନ୍ତି ଗଜପତି ମହାରାଜ ।
ଆଜି ସକାଳୁ ଏପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିନି କି ନୀତିକାନ୍ତି ଆରମ୍ଭ ହୋଇନି । ପୁଲିସ-ସେବାୟତ ବିବାଦକୁ ନେଇ ମନମାନୀ କରିଛନ୍ତି ସେବାୟତ । ଶ୍ରୀମନ୍ଦିର ନ ଫିଟାଇ ଠାକୁରଙ୍କୁ ଉପାସ ପକାଇଛନ୍ତି । ପ୍ରଶାସନ ସ୍ତରରେ ସବୁ ଆଲୋଚନା ବିଫଳ ହୋଇଛି । ତିନି ତିନି ଥର ଆଲୋଚନା ହୋଇଥିଲେ ବି କୌଣସି ପ୍ରକାର ସୁଫଳ ମିଳିନି । ସେବାୟତଙ୍କ ବିରୋଧରେ ଲାଗିଥିବା ପୁରୁଣା ମାମଲାକୁ ପ୍ରତ୍ୟାହର ଜିଦରେ ଅଟଳ ରହିଛନ୍ତି ସେବାୟତ । ତେବେ ମଧ୍ୟାହ୍ନରେ ଶହ ଶହ ସଂଖ୍ୟାରେ ଅପେକ୍ଷାରତ ଭକ୍ତ ଲୁହା ବ୍ୟାରିକେଡ ଭାଙ୍ଗି ମନ୍ଦିରକୁ ପ୍ରବେଶ କରିଥିଲେ ବି ବେହରଣ ଦ୍ୱାର ବନ୍ଦ ଥିବା କାରଣରୁ ନିରାଶ ହୋଇ ଫେରିଛନ୍ତି ।