ପୁରୀ (ଏଟିଆର ବ୍ୟୁରୋ): ରବିବାର ଦିନ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ସନ୍ଧ୍ୟାରେ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ମହାରାଜା ରାଜସିଂହାସନ ଆରୋହଣ କରିବା ସହ ଅଭିଷେକ ମଧ୍ୟ ହୋଇଥିଲେ । ଶ୍ରୀନଅରରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱତନ୍ତ୍ର ଉତ୍ସବରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଓ ରାମାଭିଷେକ ପଟି ପୂଜା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ସମ୍ପାଦନ କରିଥିଲେ ।
ପ୍ରଥମେ ଗଜପତି ଓ ମହାରାଣୀଙ୍କ ବନ୍ଦାପନା ପରେ ଗଜପତିଙ୍କୁ ପଇତାଲାଗି ଓ ମହାପ୍ରସାଦ ଅର୍ପଣ କରାଯାଇଥିଲା । ଗଜପତିଙ୍କୁ ଷୋଳଶାସନର ବ୍ରାହ୍ମଣ ଓ ପୁରହିତ ମାନେ ଏକତ୍ରତ ହୋଇ ଆର୍ଶୀବାଦ ପ୍ରଦାନ କରିଥିଲେ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣମାରେ ଦେବାଭିଷେକ ନୀତି ସହ ଶ୍ରୀନଅରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଥାଏ । ଏବେ ବି ଶ୍ରୀନଅରରେ ପୌଷ ପୂର୍ଣ୍ଣମା ପୁଷ୍ୟା ନକ୍ଷେତ୍ରରେ ଗଜପତିଙ୍କର ଏହି ପରମ୍ପରା ଚାଲୁ ରହିଛି । ଶ୍ରୀନଅର ବିଜେ କାହାଳୀ, ତେଲିଙ୍ଗିବାଜା ଓ ଝାଞ୍ଜରେ ପ୍ରକମ୍ପିତ ହୋଇଯାଇଥିଲା ।
ଗଜପତିଙ୍କର ପୁଷ୍ୟାଭିଷେକ ଅବସରରେ ସାଧୁସନ୍ଥ, ବ୍ରାହ୍ମଣ, ବୈଷ୍ଣବଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ଏହି ପରମ୍ପରା ସମ୍ପର୍କରେ ରାଜଗୁରୁ କହିଛନ୍ତି, ଏହା ଶ୍ରୀନଅରର ଏକ ପାରମ୍ପରିକ ପର୍ବ ଅଟେ । ତେବେ ଏଥିରେ ପ୍ରଥମେ ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ବିଭିନ୍ନ ଶାସ୍ତ୍ରୀୟ ପୂଜା କରାଯାଏ। ପରେ ଅଭିଷେକ ନୀତି ସମ୍ପନ୍ନ ହୁଏ। ଗଜପତିଙ୍କୁ ମଙ୍ଗଳାର୍ପଣ ଓ ପରେ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଏ। ଏହାପରେ ଗଜପତି ଗାଦି ଘରକୁ ବିଜେ କରନ୍ତି। ଷୋଳ ଶାସନ ବ୍ରାହ୍ମଣମାନେ ଆଣିଥିବା ପଇତା ପ୍ରଦାନ କରିବା ସହିତ ଆଶୀର୍ବାଦ ଦେଇଥାନ୍ତି। ଗଜପତିଙ୍କ ରାଜ୍ୟ ଶାସନ ଶୁଭ ମଙ୍ଗଳରେ ଚାଲୁ ଏବଂ ଜଗତର କଲ୍ୟାଣ ହେଉ ବୋଲି ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥାନ୍ତି।